ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ପଞ୍ଚମ କରୋନା ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କଲେ ସରକାର: ଭୁବନେଶ୍ୱର ସୂର୍ଯ୍ୟନଗର ଅବରୋଧ ଅଂଚଳ ଘୋଷଣା; ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ପାଇଁ ଦୁଇ ଅଧିକାରୀ ଓ ଜଣେ ଡାକ୍ତର ନିଯୁକ୍ତ

474

କନକ ବ୍ୟୁରୋ: ରାଜ୍ୟରେ ପଂଚମ କରୋନା ଆକ୍ରାନ୍ତ ରହୁଥିବା ଅଂଚଳ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ସୂର୍ଯ୍ୟନଗରକୁ ସିଲ୍ କରିଛି ବିଏମସି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ସିରିପୁର ଛକ, ସିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ଏମିତି କି ବ୍ୟାରିକେଡ୍ ଜରିଆରେ କଟକଣା ଲଗାଇବାକୁ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ସୂର୍ଯ୍ୟନଗରର ପ୍ରତିରୋଧ ଅଂଚଳରେ ଲୋକମାନେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଂପୃକ୍ତ ଅଂଚଳରେ କେହି ବାହାର ଲୋକ ପଶିପାରିବେନି କିମ୍ବା ଭିତରର ଲୋକ ବାହାରକୁ ନଆସିବାକୁ ନିର୍ଦେଶ ଦିଆଯାଇଛି । ପ୍ରତିରୋଧ ଅଂଚଳର ସବୁ ଦୋକାନ ବଜାର ବନ୍ଦ ରଖିବା ସହ ଘରୋଇ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କୁହାଯାଇଛି । ସୂର୍ଯ୍ୟନଗର ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଏବଂ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କଥା ବୁଝିବାକୁ ଦୁଇ ଜଣ ବରିଷ୍ଠ ଓଏଏସ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶାରେ ଚିହ୍ନଟ ହୋଇଥିବା ପଂଚମ କରୋନା ରୋଗୀଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମାର୍ଚ୍ଚ ୫ ତାରିଖରେ ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତି ପ୍ରଦୀପ୍ତ ଦଳ ବେହେରାଙ୍କୁ ପ୍ରବଳ ଥଣ୍ଡା ହେବାରୁ ସେ ସୂର୍ଯ୍ୟନଗରରେ ଥିବା ମହାଶକ୍ତି କ୍ଲିନିକକୁ ଯାଇଥିଲେ । ମାର୍ଚ୍ଚ ୧୨ ତାରିଖରେ ପ୍ରବଳ କାଶ ଓ କଫ ହେବାରୁ ପୁଣି ମହାଶକ୍ତି କ୍ଲିନିକ୍ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ ।

ମାର୍ଚ୍ଚ ୨୭ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଆକ୍ରାନ୍ତ ବ୍ୟକ୍ତି । ସେହିଦିନ ଅପରାହ୍ଣରେ ସେ ସମ୍ ହସପିଟାଲ ଓପିଡି ଯାଇଥିଲେ । ତା ପରଦିନ ଅର୍ଥାତ୍ ୨୮ ମାର୍ଚ୍ଚରେ ଏମ୍ସ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ୩୧ ମାର୍ଚ୍ଚରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଏବଂ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଆଡମିଟ କରାଯାଇଥିଲା । ଏବଂ ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏପ୍ରିଲ ୧ ତାରିଖରେ ତାଙ୍କ ରକ୍ତ ନମୁନା ରିପୋର୍ଟ ପଜିଟିଭ୍ ଆସିଥିଲା ।