ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା। ନବୀନଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୪ କୋଟି ଟଙ୍କା, ନବ ଦାସ ସବୁଠୁ ବଡ ଧନୀ। 

161

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଖରେ ରହିଛି ପ୍ରାୟ ୬୪କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତି । ନବୀନ ନିବାସର ଦୁଇ ତୃତୀୟାଂଶ ଅଂଶର ମାଲିକ ହେଉଛନ୍ତି ନବୀନ । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀରେ ଥିବା ତାଙ୍କ ଘରର ମୂଲ୍ୟ ୪୩ କୋଟି ୩୬ଲକ୍ଷ ୧୮ ହଜାର ଟଙ୍କା । ଦିଲ୍ଲୀ ଜନପଥ ବ୍ୟାଙ୍କରେ ନବୀନଙ୍କ ନାଁରେ ଜମା ଅଛି ୭୨ ଲକ୍ଷ ଟଙ୍କା । ଆଉ ଏବେ ବି ୧୯୮୦ ମସିହାର ଆମ୍ବାସଡର ଗାଡି ତାଙ୍କ ନାଁରେ ରହିଛି ।

ନବୀନଙ୍କ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ନବ ଦାସଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା । ଭାରତ ବେଞ୍ଚ, ଟାଟା ମୋଟର୍ସ, ମହିନ୍ଦ୍ରା ବ୍ରାଣ୍ଡର ନାମିଦାମି ୬୫ଟି ଗାଡି । କୋଭିଡ ସମୟରେ କିଣିଛନ୍ତି ୧୮ଟି ଗାଡି  । ଖାଲି ସେତିକି ନୁହେଁ କୌତୁହଳର କଥା ହେଉଛି ନବ ଦାସଙ୍କ ପାଖରେ ତିନୋଟି ବନ୍ଧୁକ ରହିଛି । ତିନୋଟି ବନ୍ଧୁକର ମୂଲ୍ୟ ୩ଲକ୍ଷ ୫୫ ହଜାର ଟଙ୍କା । ସେଥିରୁ ଗୋଟିଏ ରାଇଫଲର ମୂଲ୍ୟ ୧ଲକ୍ଷ ୨୫ ହଜାର ଟଙ୍କା ।

ପ୍ରୀତି ରଞ୍ଜନ ଘଡାଇ, ବୈଷୟିକ ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ନବ ଦାସଙ୍କ ପରେ ପ୍ରୀତି ରଞ୍ଜନ ଘଡେଇ ନବୀନଙ୍କ କ୍ୟାବିନେଟର ଦ୍ୱିତୀୟ ଧନୀ ମନ୍ତ୍ରୀ । ତାଙ୍କ ପାଖରେ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ସ୍ଥାବରଅସ୍ଥାବର ସମ୍ପତି ରହିଛି । କିନ୍ତୁ କୌଣସି ଚାରି ଚକିଆ ଗାଡି ନାହିଁ । ପ୍ରମିଳା ମଲ୍ଲିକ । ରାଜସ୍ୱ ମନ୍ତ୍ରୀ । ତାଙ୍କ ପାଖରେ ରହିଛି ୪ଦଶମିକ ୫ କୋଟି ଟଙ୍କା ମୂଲ୍ୟର ସ୍ଥାବର, ଅସ୍ଥାବର ସମ୍ପତି ।

ପ୍ରଫୁଲ ମଲ୍ଲିକ । ଖଣି, ଇସ୍ପାତ ଭଳି ବଡ ବିଭାଗର ମନ୍ତ୍ରୀ । କିନ୍ତୁ ତାଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୫୦ଲକ୍ଷ ଟପିପାରିନି । ତାଙ୍କ ପାଖରେ ରହିଛି ମୋଟ ୪୨ଲକ୍ଷ ଟଙ୍କାର ସମ୍ପତି । ଏପରିକି ତାଙ୍କ ପାଖରେ କୌଣସି ଚାରିଚକିଆ ଯାନ ନଥିବା କଥା ଉଲ୍ଲେଖ କରିଛନ୍ତି । ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମ୍ପତି ୪୯ଲକ୍ଷ ଟଙ୍କାରେ ରହିଛି ।

କିଛି ମନ୍ତ୍ରୀ ସମ୍ପତିକୁ ଅନୁଧ୍ୟାନ କଲେ ଜଣାପଡୁଛି ନେତାଙ୍କ ସମ୍ପତି ଗତ ବର୍ଷ ତୁଳନାରେ ବଢ଼ିଛି । କିଏ ଜାଗାବାଡି କିଣିଛନ୍ତି ତ ଆଉ କିଏ ହୋଟେଲ ବ୍ୟବସାୟ କରି ସମ୍ପତି ବଢ଼ାଇ ଚାଲିଛନ୍ତି । କିନ୍ତୁ ବଡ କଥା ଏହା ମନ୍ତ୍ରୀଙ୍କ ବାସ୍ତବ ସମ୍ପତି ତାଲିକା ନା ଏହାଠାରୁ ଅଧିକ ରହିଛି ।