ଆସିଲା ବିଶ୍ୱର ସବୁଠାରୁ ଶସ୍ତା କୋଭିଡ୍ ଟେଷ୍ଟିଂ କିଟ । ଦିଲ୍ଲୀ ଆଇଆଇଟିର ଏହି କିଟର ମୂଲ୍ୟ ୬୫୦ ଟଙ୍କା, ୩ ଘଂଟାରେ ଜାଣିହେବ ରେଜଲ୍ଟ

258

କନକ ବ୍ୟୁରୋ : ଆସିଲା ବିଶ୍ୱର ସବୁଠାରୁ ଶସ୍ତା କୋଭିଡ୍ ଟେଷ୍ଟିଂ କିଟ୍ । ଏହାର ନାଁ ରହିଛି କରୋସ୍ୟୁର । ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କରିଥିବା ଏହି ଟେଷ୍ଟିଂ କିଟକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖୟରିଆଲ ନିଶଙ୍କ ଏବଂ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି କୁହାଯାଉଛି । ଟେଷ୍ଟିଂ କିଟ୍ର ମୂଲ୍ୟ ରହିଛି ମାତ୍ର ୩୯୯ ଟଙ୍କା । ତେବେ ଆରଏନଏ ଆଇସୋଲେସନ ଏବଂ ଲାବୋରେଟୋରୀ ଚାର୍ଜ ମିଶାଇଲେ ଏହାର ଦର ୬୫୦ ଟଙ୍କା ପାଖାପାଖି ହୋଇଯାଉଛି । ବଡ କଥା ହେଉଛି ଏହି ଟେଷ୍ଟର ଫଳାଫଳ ୩ ଘଂଟାରେ ଆସିଯିବ । କରୋସ୍ୟୁର କିଟ୍ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଏବଂ ଅନ୍ୟ କିଟ୍ ତୁଳନାରେ ଶସ୍ତା । ଦେଶ ସୁଲଭ ଦରରେ ବିଶ୍ୱସନୀୟ ଟେଷ୍ଟିଂ କିଟ୍ ଚାହୁଁଥିବା ବେଳେ ଏହା ଆଇସିଏମଆରର ଅନୁମୋଦନ ପାଇସାରିଛି ।

ଏଥିସହ ଡ୍ରଗ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ମଧ୍ୟ ଏହାକୁ ଅନୁମତି ଦେଇସାରିଛି । ଆଇଇଟି ଦିଲ୍ଲୀର ବିଶେଷଜ୍ଞ ଟିମ୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟିିଂ କିଟ୍ ଆରଟି-ପିସିଆର ପରୀକ୍ଷା ଅନ୍ତର୍ଭୁକ୍ତ । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନାକ କିମ୍ବା ପାଟିରୁ ଲାଳ ସଂଗ୍ରହ କରି ତାର ପରୀକ୍ଷା କରାଯାଇଥାଏ । ବର୍ତମାନ ସୁଦ୍ଧା ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ଏହି ପରୀକ୍ଷା ପାଇଁ ୨୨ଶହରୁ ୩ହଜାର ଟଙ୍କା ପାଖାପାଖି ଦେବାକୁ ପଡିଥାଏ । ଯାହାକି ଜଣେ ଗରିବ ଲୋକଙ୍କ ପାଇଁ ଢେର ଅଧିକ । ତେବେ ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟରେ ମାତ୍ର ୬୫୦ ଟଙ୍କା ଭିତରେ ପରୀକ୍ଷା କରିହେବ । କରୋନା ଭୂତାଣୁ ପରୀକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏବଂ ମହାମାରୀ ବିରୋଧରେ ଲଢେଇରେ ଏହି କିଟ୍ ଏକ ଗେମ୍ ଚେଂଜର ହେବ ବୋଲି କୁହାଯାଉଛି ।