ଆସିଲା ଅନଲକ୍-୩ର ଗାଇଡଲାଇନ୍ । ଆଉ ହେବନି ନାଇଟ୍ କର୍ଫ୍ୟୁ, ଅଗଷ୍ଟ ୫ରୁ ଜିମ୍ ଖୋଲିବାକୁ ଅନୁମତି : ବନ୍ଦ ରହିବ ସପିଂ ମଲ, ଅଗଷ୍ଟ ୩୧ ଯାଏ ଖୋଲିବନି ଶିକ୍ଷାନୁଷ୍ଠାନ

616

କନକ ବ୍ୟୁରୋ : ଜୁଲାଇ ୩୧ରେ ଅନ୍ଲକ୍-୨ ଶେଷ ହେଉଥିବା ବେଳେ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ଅନଲକ୍ । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । ସାରା ଦେଶରେ ତାଲା ଖୋଲା ପ୍ରକିୟାର ଆଉ ଏକ ପାଦ ଆଗକୁ ବଢ଼ିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅଗଷ୍ଟ ୧ ତାରିଖରୁ ରାତି କଟକଣା ଉଠିଯିବ । ଅର୍ଥାତ୍ ରାତିରେ ଲଗାଯାଉଥିବା କର୍ଫ୍ୟୁକୁ ହଟାଇ ଦିଆଯିବ । ଆଉ ଏକ ବଡ଼ ନିଷ୍ପତି ହେଉଛି- ଅଗଷ୍ଟ ୫ ତାରିଖରୁ ଯୋଗ ଅନୁଷ୍ଠାନ ଓ ଜିମଗୁଡିକୁ ଖୋଲିବାକୁ ଅନୁମତି ମିଳିବ । ତେବେ ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ । ସାମାଜିକ ଦୂରତା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସେହିପରି ସାମାଜିକ ଦୂରତା କଟକଣାକୁ ମାନି ସ୍ୱାଧୀନତା ଦିବସ ପାଳନକୁ ଅନୁମତି ମିଳିଛି ।

ମାସ୍କ ପିନ୍ଧିବା ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନ୍ୟାନ୍ୟ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ରାଜ୍ୟଗୁଡିକ ସହ ଆଲୋଚନା କରିବା ପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ କୋଚିଂ ସେଂଟରକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଅନଲକ୍–୩ରେ କଂଟେନମେଂଟ ଜୋନ ବାହାରେ ଅନେକ କଟକଣାକୁ ହଟାଇ ଦିଆଯିବ । ତେବେ ସାରା ଦେଶରେ ମେଟ୍ରୋ ରେଳସେବା, ସିନେମା ହଲ୍, ସିଇମିଂ ପୁଲ୍, ମନୋରଂଜନ ପାର୍କ, ଥିଏଟର, ବାର୍, ଅଡିଟୋରିୟମ ଆଦି ବନ୍ଦ ରଖାଯିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ, ମନୋରଂଜନ, କ୍ରୀଡ଼ା ଓ ଶିକ୍ଷାଭିତିକ ସମାବେଶ ଉପରେ ପୂର୍ବଭଳି କଟକଣା ଜାରି ରହିବ, ଏସବୁ କେବେ ଖୋଲିବ, ପରିସ୍ଥିତିକୁ ଦେଖି ଏନେଇ ଅଲଗା ଅଲଗା ଭାବେ ନିଷ୍ପତି ନେବେ ସରକାର । ତେବେ କଂଟେନମେଂଟ ଜୋନ୍ ଅର୍ଥାତ୍ ଅବରୋଧ ଅଂଚଳଗୁଡିକରେ ଲକଡାଉନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁଯାୟୀ କଂଟେନମେଂଟ ଜୋନକୁ ଚିହ୍ନଟ କରିବେ ରାଜ୍ୟ ସରକାର । ସେହି ଅଂଚଳରେ କେବଳ ଜରୁରୀ ସେବା ଉପଲବ୍ଧ ହେବ । ଜିଲ୍ଲାପାଳ ସଂପୃକ୍ତ କଂଟେନ୍ମେଂଟ ଜୋନ ସଂପର୍କରେ ୱେବସାଇଟରେ ଉଲ୍ଲେଖ କରିବେ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏ ନେଇ ଅବଗତ କରିବେ ରାଜ୍ୟ ସରକାର । କଂଟେନମେଂଟ ଜୋନ ଉପରେ ତୀକ୍ଷ୍ନ ନଜର ରଖିବେ ରାଜ୍ୟ ସରକାର । ଏହି ଅଂଚଳ ପାଇଁ ଥିବା ଗାଇଡଲାଇନକୁ ପାଳନ ହେଉଛି କି ନାହିଁ ତଦାରଖ କରିବେ । ସେହିପରି ଗ୍ରାହକମାନେ କିପରି ସାମାଜିକ ଦୂରତା ରକ୍ଷା କରିବେ, ତାହାକୁ ନିଶ୍ଚିନ୍ତ କରିବେ ଦୋକାନୀ ।

ତେବେ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା, ୧୦ ବର୍ଷ ବୟସରୁ କମ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ମାର୍ଗଦର୍ଶିକାରେ ଆଉ ଏକ ବଡ଼ କଥା ହେଉଛି – କରୋନା ସଂକ୍ରମଣର ସ୍ଥିତି ଦେଖି ସଂପୃକ୍ତ ରାଜ୍ୟ ସରକାର କଟକଣା ନେଇ ନିଷ୍ପତି ନେଇପାରିବେ । ଆବଶ୍ୟକ ପଡ଼ିଲେ କଂଟେନମେଂଟ ଜୋନ ବା ଅବରୋଧ ଅଂଚଳ ବାହାରେ ମଧ୍ୟ କଟକଣା ଲଗାଇପାରିବେ ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ବା ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟତ ପାଇଁ କିମ୍ବା ମାଲ ପରିବହନ ପାଇଁ କୌଣସି ବାଧା ରହିବ ନାହିଁ ।