ହୋଲିରେ ହୋଲି…ଏଥର ଖେଳିବା ହର୍ବାଲ ହୋଲି । ରଙ୍ଗର ପର୍ବ ପାଇଁ ଭୁବନେଶ୍ୱରରେ ଅବିରର ଭିଡ । ହର୍ବାଲ ହୋଲିର ଭାରି ଚାହିଦା ।

213

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ରଙ୍ଗିନ ହେବ ପରିବେଶ । ରଙ୍ଗିନ ହେବ ମନ । ଦେହରେ ଲାଗିବ ଅବିର, ରଙ୍ଗ ପିଚକାରୀରେ ହୋଲି ଖେଳିବେ ଲୋକେ । କରୋନା କଟକଣା ଭିତରେ ଏଥର ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଥିବା ବେଳେ ନିଜ ପରିବାର, ନିଜ ସମ୍ପର୍କୀୟ, ନିଜ ଆତ୍ମୀୟସ୍ୱଜନଙ୍କ ସହ ରଙ୍ଗ ଅବିରର ଖେଳ ଖେଳିବାକୁ ଆଉ ହୋଲି ପାଳିବାକୁ ଆଗୁଆ ଆରମ୍ଭ ହେଲାଣି ପ୍ରସ୍ତୁତି । ଘରେ ଘରେ ଦେଖିବାକୁ ମିଳିଲାଣି ସଜବାଜ ।

ରଙ୍ଗର ପର୍ବ ହୋଲି ପାଇଁ ଜମିଲାଣି ରାଜଧାନୀର ବଜାର । ଭଳିକି ଭଳି ଅବିର ରଙ୍ଗରେ ରଙ୍ଗୀନ ହେଉଛି ଦୋକାନ । ଆଉ ଏହାରି ଭିତରେ ଗିଫ୍ଟ ପ୍ୟାକେଟରେ ଆସିଛି ହର୍ବାଲ ରଙ୍ଗ । ଗତ କେଇ ବର୍ଷ ହେବ ହର୍ବାଲ ରଙ୍ଗର ଚାହିଦା ବେଳ ବଢିଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବଜାରରେ ମିଳୁଛି ସ୍ୱତନ୍ତ୍ର ଗିଫ୍ଟ ପ୍ୟାକେଟ । ୨୦୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଯାଏଁ ମିଳୁଛି ଏଭଳି ଆକର୍ଷଣୀୟ ପ୍ୟାକେଟ । ଯାହା ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଛୋଟ ଛୋଟ ପିଲାଙ୍କ ଚାହିଦାକୁ ଆଖି ଆଗରେ ରଖିି ବ୍ୟବସାୟୀମାନେ କାର୍ଟୁନ ପିଚକାରୀର ପସରା ମେଲାଇଛନ୍ତି । ଛୋଟା ଭୀମ ସାଙ୍ଗକୁ ଡୋରେମନ ଭଳି କାର୍ଟୁନ ତିଆରି ହୋଇଛି ପିଚକାରୀରେ । ପୂର୍ବ ବର୍ଷ ଅପେକ୍ଷା ଏଥର ରଙ୍ଗ ଓ ପିଚକାରୀରର ଦାମ ଦୁଇ ଗୁଣା ହୋଇଯାଇଛି । କୋଭିଡ ପାଇଁ ଗତ ଦୁଇ ବର୍ଷ ହେବ ବେପାର ମାନ୍ଦା ଥିବାରୁ ଏଥର ସବୁ ସାମଗ୍ରୀର ଦାମ ବଢିଥିବା କହିଛନ୍ତି ବ୍ୟବସାୟୀ । ତେବେ ରଙ୍ଗର ପର୍ବରେ ଝୁମିବାକୁ, ସାଧାରଣରେ ହୋଲି ଖେଳିବାକୁ ଏଥର ବି କଟକଣା କରାଯାଇଛି । ହେଲେ ତାରି ଭିତରେ ତଥାପି ଭଲ ବେପାର ନେଇ ଆଶା ରଖିଛନ୍ତି ବ୍ୟବସାୟୀ ।