ଓଡ଼ିଆ ଝିଅ ନୀଳିମା ପାତ୍ରଙ୍କ ହର୍ବାଲ ଛେନାପୋଡ଼: ତୁଳସୀ, ପୋଦିନା, ବିଟ୍, ଗାଜର ଓ ଡ୍ରାଏ ଫ୍ରୁଟ୍ସ ପକାଇ ପ୍ରସ୍ତୁତ ହେଉଛି ଛେନାପୋଡ଼

249

କନକ ବ୍ୟୁରୋ: ଛେନାପୋଡ଼ କାହାକୁ ବା ଭଲ ଲାଗେନି । ତେବେ ଓଡ଼ିଆ ଝିଅ ନୀଳିମା ପାତ୍ରଙ୍କର ମିଠା ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଏକ ସଫଳ ମିଠା ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ପାରମ୍ପରିକ ମିଠା ତଥା ପିଠା ଛେନାପୋଡ଼କୁ ନୂଆ ଏକ ଢ଼ଙ୍ଗରେ ତିଆରି କରୁଛନ୍ତି ଓଡ଼ିଆ ଝିଅ ନୀଳିମା ପାତ୍ର । ନୀଳିମା ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଓଡ଼ିଶାର ମିଠା ପ୍ରତି ଥିବା ତାଙ୍କ ଭଲ ପାଇବା ତାଙ୍କୁ ଏକ ଉଦ୍ୟୋଗୀ ଭାବେ ଗଢ଼ି ତୋଳିଛି ।

ଓଡ଼ିଆ ଝିଅ ନୀଳିମାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି ମଲ୍ଟି ଭିଟାମିନ ଛେନାପୋଡ଼ । ଓଡ଼ିଶାର ପାରମ୍ପରିକ ମିଠା ତଥାକୁ ପିଠାକୁ ଏକ ଭିନ୍ନ ଢଙ୍ଗରେ ତିଆରି କରୁଛନ୍ତି ନୀଳିମା । ସେ ଏହି ଛେନାପୋଡ଼ ପାଇଁ ଶୁଖିଲା ତୁଳସୀ ପତ୍ର , ପୋଦିନା ପତ୍ର ସହ ଅଁଳା ଗୁଣ୍ଡ, ଗାଜର ଗୁଣ୍ଡ , ବିଟ୍ ଗୁଣ୍ଡ, ଡ୍ରାଏ ଫ୍ରୁଟର୍ସ ଗୁଣ୍ଡ ଓ ମହୁ ବା ସୁଗାର ଫ୍ରି ଆଦିର ବ୍ୟବହାର କରିଥାନ୍ତି । ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ସେ କୁହନ୍ତି । ପୂର୍ବରୁ ନୀଳିମା ବାଙ୍ଗାଲୋରରେ ଜଣେ ସପ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟକରୁଥିଲେ । ସେତେବେଳେ ସେ ଓଡ଼ିଆ ମିଠା ଓ ପିଠା ଖାଇବାକୁ ଖୁବ ପସନ୍ଦ କରୁଥିଲେ । ଓଡ଼ିଶାକୁ ଫେରିବା ପରେ ସେ ‘ ମୋମ ହ୍ୟାଣ୍ଡ’ ନାମକ ନିଜର ଏକ ଅନୁଷ୍ଠାନ ଖୋଲିଲେ । ପ୍ରଥମେ ସେ ଛେନାପୋଡ଼ ଠାରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ମିଠା ସବୁ ପ୍ୟାକେଟରେ ମିଳିଯାଉଛି । ହେଲେ ଏଯାଏଁ ଛେନାପୋଡ଼କୁ ଏଥିରେ ସ୍ଥାନ ଦିଆଯାଇ ନାହିଁ । ଏଣୁ ପ୍ରଥମେ ଛେନାପୋଡ଼କୁ ଏଥିରେ ସ୍ଥାନ ଦେବାକୁ ନୀଳିମା ପ୍ରୟାସ କରିଛନ୍ତି ।

ନୀଳିମାଙ୍କ ଏହି ମଲ୍ଟି ଭିଟାମିନ ଛେନାପୋଡ଼କୁ ଲୋକେ ବେଶ ଆଦୃତ କରୁଛନ୍ତି । ପ୍ରଥମେ ଛେନାପୋଡ଼କୁ ପ୍ରସ୍ତୁତ କରି ତାହାକୁ ଭାଟିରେ ପୋଡ଼ୁଛନ୍ତି ନୀଳିମା । ମହିଳା ଉଦ୍ୟୋଗୀ ନୀଳିମା ଏକ ଭିନ୍ନ ରୂପରେ ଲୋକଙ୍କୁ ଭେଟି ଦେଉଛନ୍ତି ସୁସ୍ୱାଦୁ ମଲ୍ଟି ଛେନାପୋଡ଼ । ଏବେ କେବଳ ଛେନାପୋଡ଼ ପ୍ରସ୍ତୁତ କରୁଥିବାବେଳେ ଆଗକୁ ମଲ୍ଟି ଭିଟାମିନ ରସଗୋଲା , ମଲ୍ଟି ଭିଟାମିନ ନିମିକି , କାକରା ଆଦି ପ୍ରସ୍ତୁତ କରିବାର ଯୋଜନା ରଖିଛନ୍ତି । ତାଙ୍କର ଏକ ୟୁନିଟ୍ ପ୍ରସ୍ତୁତ ହେଉଛି । ଏବେ ସେ କେବଳ ଭୁବନେଶ୍ୱରରେ କାମ କରୁଛନ୍ତି । ପରେ ଏହାକୁ ଦେଶ ତଥା ବିଦେଶକୁ ରପ୍ତାନୀ କରିବେ ବୋଲି ଯୋଜନା ରହିଛି ।

କରୋନା ମହାମାରୀ ସମୟରେ ଏହି ମଲ୍ଟି ଛେନାପୋଡ଼ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ସେ ମତ ରଖିଛନ୍ତି । ନୀଳିମାଙ୍କ ଏପରି ଉଦ୍ୟମ ଫଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।