କନକ ବ୍ୟୁରୋ: ପ୍ରକୃତିରାଣୀର ପରଶ ଛୁଆଁରେ ସୁନ୍ଦର ହୋଇଛି ଏ ବିଶାଳ ସୃଷ୍ଟି। ବିଶାଳ ସୃଷ୍ଟିର ଅନ୍ୟତମ ସଂରଚନା ହେଉଛି ପୃଥିବୀ। ପୃଥିବୀ ପୃଷ୍ଠକୁ ପ୍ରକୃତିରାଣୀ ପରସିଦେଇଛି ପାହାଡ, ନଦୀ, ସମୁଦ୍ର, ଗଛଲତାଠାରୁ ଆରମ୍ଭ କରି ବିଶାଳ ଜୀବଜଗତ। କୀଟପତଙ୍ଗଠାରୁ ଆରମ୍ଭ କରି ହାତୀ ପରି ବିଶାଳ ଜୀବ ଏବଂ ଜଳଚର ଜୀବଙ୍କ ସୃଷ୍ଟି ପ୍ରକୃତିରାଣୀର ଅବଦାନ। ଅଗଣିତ ଜୀବମାନଙ୍କ ମଧ୍ୟରୁ ସାମୁଦ୍ରିକ ଜୀବ କସ୍ତୁରା ବା ବର୍ନାକେଲ୍ସ ହେଉଛି ଏକ ବିଚିତ୍ର ଜୀବ। ଏହି କସ୍ତୁରା ଆଖିକୁ ଦେଖିବାକୁ ଏକ ଶକ୍ତ ଖୋଳପା ସଦୃଶ୍ୟ କଠିନ ଆବରଣରେ ପରିପୂର୍ଣ୍ଣ ଏକ ନିର୍ଜୀବ ବସ୍ତୁ ଭଳି।

Advertisment

ସମୁଦ୍ର ମୁହାଣ ଅଞ୍ଚଳ କିମ୍ବା ନଦୀର ଶଜ୍ୟାରେ ଦେଖିବାକୁ ମିଳେ କସ୍ତୁରା ବା ବର୍ନାକେଲ୍ସ। କେବଳ ଲୁଣୀ ଜଳରେ ହିଁ ଜୀବନ ଧାରଣ କରିପାରେ। ଏକ ଗବେଷଣାରୁ ଜଣାପଡେ, ବିଶ୍ୱରେ ୨୧ଶହ ପ୍ରକାର କସ୍ତୁରା ଦେଖିବାକୁ ମିଳେ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟ କେଳୁଣୀ ମୁହାଣରେ ଦେଖାଯାଉଥିବା ବର୍ନାକେଲ୍ସ ଆକାରରେ ସବୁଠାରୁ ବଡ଼। ଏକ କଠିନ ଅସ୍ତି ଖଣ୍ଡ ପରି। ଖୋଳପା ଭିତରେ ଏକ ଜେଲି ବା ଲାର୍ଭା ପରି ଜୀବଶତା ରହିଥାଏ। ଯାହାକୁ ଇଂରାଜୀରେ ନାଉପ୍ଲିଅସ ଲାର୍ଭା ବୋଲି କୁହାଯାଏ। କସ୍ତୁରା ଲୁଣୀ ଜଳରେ ରହୁଥିବା ଛୋଟଛୋଟ କୀଟଙ୍କୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥାଏ। ଜୁଆର ଏବଂ ଭଟା ସମୟରେ ସ୍ରୋତ ସାହାଯ୍ୟରେ ସ୍ଥାନ ପରିବର୍ତ୍ତନ କରିଥାଏ। ଏହା ପରିବେଶର ଜୈବ ବିବିଧତାକୁ ବାନ୍ଧି ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।

କସ୍ତୁରା ବା ବର୍ନାକେଲ୍ସ ଜୀବଟି ଉପକୂଳରେ ସବୁଜ ବଳୟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। କସ୍ତୁରା ଦେଖାଯାଉଥିବା ଅଞ୍ଚଳରେ ଲୁଣା ଜଙ୍ଗଲରୁ ସହଜରେ କାଠ ଚୋରି କରିପାରନ୍ତି ନାହିଁ କାଠ ମାଫିଆ । କସ୍ତୁରା ଦେହରେ ରହିଥିବା କଠିନ ଖୋଳପା ମଣିଷ ପାଦକୁ କାଟି କ୍ଷତି ପହଞ୍ଚାଇଥାଏ । ତେଣୁ କାଠ ମଫିଆ ସେହି ଅଞ୍ଚଳକୁ ଯିବାକୁ ସାହସ କରନ୍ତି ନାହିଁ। ସେହିଭଳି ଏହି ଜୀବଟି ନଦୀ ଏବଂ ସମୁଦ୍ରର ଜଳକୁ ଶୋଧନ କରିବାରେ ମଧ୍ୟ ଭୂମିକା ଗ୍ରହଣ କରିଥାଏ । କସ୍ତୁରା ରହୁଥିବା ସ୍ଥାନରେ ପ୍ରଚୁର ପରିମାଣର ମାଛ ରହୁଥିବାର ଦେଖିବାକୁ ମିଳିଥାଏ । ଦିନ ଥିଲା ଏହି ଅସ୍ତରଙ୍ଗ ଅଞ୍ଚଳର ଦେବୀମୁହାଣ, କେଳୁଣୀ ମୁହାଣ ସହିତ ଦେବୀନଦୀ, କାଦୁଆ ନଦୀରେ ପ୍ରଚୁର ମାତ୍ରାରେ କସ୍ତୁରା ଦେଖିବାକୁ ମିଳୁଥିଲେ। ହେଲେ ପରିବେଶ ପ୍ରଦୂଷଣ ଏବଂ ଚିଙ୍ଗୁଡି ଘେରିର ବିଷାକ୍ତ ପାଣି ନଦୀରେ ମିଶିବାରୁ ଏବେ ଏମାନଙ୍କ ବଂଶ ହ୍ରାସ ପାଇବାରେ ଲାଗିଛି। ବର୍ତମାନ କେଳୁଣୀ ମୁହାଣ ଅଞ୍ଚଳର କାଦୁଆ ନଦୀ ସଜ୍ୟାରେ ଏହି ଜୀବମାନଙ୍କ ଅବସ୍ଥିତି ଦେଖିବାକୁ ମିଳିଛି ।

ପୁନଶ୍ଚ ପୃଥିବୀ ଗଠନ କରିବାରେ ଆଉ ସୃଷ୍ଟି ହୋଇଥିବା ଜୈବ ବିଭିଦାତାକୁ ସୁରକ୍ଷା ଦେବାକୁ ହେଲେ ଏହି କସ୍ତୁରା ଭଳି ଜଳଚର ଜୀବର ସୁରକ୍ଷା କରିବା ନିହାତି ଆବଶ୍ୟକ ।