ପ୍ରତିଦିନ ପୋଲିସଙ୍କ ନିକଟକୁ କିଛି ନା କିଛି ହତ୍ୟା ମାମଲା ଆସିଥାଏ । ଏବଂ ସେଥିମଧ୍ୟରୁ ଅନେକ ହତ୍ୟା ମାମଲାକୁ ପୋଲିସ ସମାଧାନ କରିବା କଥା ମଧ୍ୟ ଆପଣ ଜାଣିଥିବେ । କିନ୍ତୁ ଆପଣ ମାନେ କେବେ ପୋଲିସକୁ କୁକୁଡା ହତ୍ୟା ମାମଲାକୁ ସମାଧାନ କରିବାର ଦେଖିଛନ୍ତି କି ? ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସିବିଲ ଲାଇନ ଥାନା ଅଞ୍ଚଳରେ ଥିବା ମୁରାନା ଗାଁରେ ଘଟିଛି । କୁକୁଡା ଘରେ ପଶିଯିବାରୁ ଏକ ଯୁବକ କୁକୁଡାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲୋକଙ୍କ କହିବା ଅନୁସାରେ ପଡୋଶୀ ଘରର ଜଣେ ମହିଳାଙ୍କ କୁକୁଡା ଅନ୍ୟ ଜଣଙ୍କ ଘରକୁ ବାରମ୍ବାର ଆସୁଥିବାରୁ କୁକୁଡାକୁ ହତ୍ୟା କରାଯାଇଛି ।

Advertisment

ସୂଚନା ଅନୁଯାୟୀ, ମୁରେନା ସିବିଲ ଲାଇନ ଥାନା ନିକଟସ୍ଥ ଏକ ଗାଁରେ ବାସ କରୁଥିବା ସୁନୀତା ବାଲ୍ମିକୀଙ୍କ କୁକୁଡା ପଡୋଶୀ ଘରକୁ ବାରମ୍ବାର ଯାଉଥିଲା । ଏଥିରେ ବିରକ୍ତ ହୋଇ ପଡୋଶୀ ଘର ଲୋକ ସୁନୀତାଙ୍କୁ ପୂର୍ବରୁ ବହୁ ବାର ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ସୁନୀତା କିଛି ନଶୁଣିବାରୁ ପଡୋଶୀ ଘରର ଜଣେ ଯୁବକ କୁକୁଡାକୁ ଏକ ଲାଠିରେ ପିଟି ହତ୍ୟା କରିଛି । ତେଣୁ ଏଥିରେ କ୍ଷୁବ୍ଧ ହୋଇ ସୁନୀତା ନ୍ୟାୟ ପାଇବା ପାଇଁ ନିକଟରେ ଥିବା ମୁରେନା ସିବିଲ ଲାଇନ ଥାନାରେ ଯୁବକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସର କହିବା ଅନୁସାରେ, ଯଦି କୌଣସି ଗୃହପାଳିତ ପଶୁର ମୂଲ୍ୟ ୫୦ ଟଙ୍କାରୁ ଅଧିକ ହୋଇଥାଏ ଏବଂ ତାକୁ ହତ୍ୟା କରାଯାଏ ତେବେ ଆଇପିସି ଧାରା ୪୨୯ ଅନୁଯାୟୀ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ସୁନୀତାଙ୍କ ଅଭିଯୋଗ କ୍ରମେ ସିବିଲ ଲାଇନ ଥାନା ଅଧିକାରୀ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ କୁକୁଡାର ଶବ ବ୍ୟବଚ୍ଛେଦ ପାଇଁ ନିକଟରେ ଥିବା ପଶୁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଘଟଣାର ଅଧିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।