ରୋଜଗାର ଦେଉଛି ଉନ୍ନତମାନର କୁକୁଡ଼ା ଫାର୍ମ । ଅଟୋମେଟିକ୍ ଯନ୍ତ୍ରାଂଶ ସାହାଯ୍ୟରେ କୁକୁଡ଼ା ମାନଙ୍କୁ ଦିଆଯାଉଛି ଖାଦ୍ୟ ଓ ପାନୀୟ ।

122

କନକ ବ୍ୟୁରୋ : ଅତ୍ୟାଧୁନିକ ଜ୍ଞାନ କୌଶଳରେ ଆଠଗଡ଼ ଅଞ୍ଚଳରେ କୁକୁଡ଼ା ଫାର୍ମ କରି ସଫଳତା ପାଇଛନ୍ତି ପ୍ରଣତି ମିଶ୍ର ନାମକ ଜଣେ ଗୃହିଣୀ । ଏହି କାମରେ ତାଙ୍କୁ ସହଯୋଗ କରନ୍ତି ତାଙ୍କର ଏମବିଏ ପଢୁଆ ପୁଅ ଅଙ୍କିତ । ପାଖାପାଖି ୭୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରଏଲର କୁକୁଡ଼ା ଫାର୍ମ ତିଆରି କରି ମାସକୁ ଭଲ ରୋଜଗାର କରୁଛନ୍ତି । ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ୫ଟି ପରିବାରକୁ ମଧ୍ୟ କର୍ମ ନିଯୁକ୍ତି ଯୋଗାଇଛନ୍ତି ।

ନୂତନ ଜ୍ଞାନ କୌଶଳରେ ହୋଇଛି ବ୍ରଏଲର କୁକୁଡ଼ା ଫାର୍ମ । ଫାର୍ମରେ ରହିଛି ୨୨ହଜାର କୁକୁଡ଼ା ରହିବାର କ୍ଷମତା । ନୂତନ ଜ୍ଞାନ କୌଶଳରେ ତିଆରି ହୋଇଛି ବ୍ରଏଲର କୁକୁଡ଼ା ଫାର୍ମ । ଇସି ତଥା ଏନଭରମେଣ୍ଟାଲ କଣ୍ଟ୍ରୋଲ ଫାର୍ମରେ ବଢୁଛନ୍ତି କୁକୁଡ଼ା । ଏହା ଦ୍ୱାରା ଫାର୍ମ ଭିତରକୁ ସଫା ସୁତୁରା ରଖାଯାଇ ପାରୁଛି ଏବଂ ବାହାରେ ଥିବା ଦୂଷିତ ବାୟୁ ଫାର୍ମ ଭିତରକୁ ପଶିବାକୁ ଦିଆଯାଉନାହିଁ । ଏପରି ନୂତନ ପଦ୍ଧତିରେ କୁକୁଡ଼ା ଫାର୍ମ କରି ସଫଳତା ପାଇଛନ୍ତି ଆଠଗଡ଼ ରାହାଙ୍ଗୋଳ ଅଞ୍ଚଳର ପ୍ରଣତି ମିଶ୍ର । ୧୫ ହଜାର ସ୍କୋୟାରଫୁଟ ଜାଗାରେ ଏହି ବ୍ରଏଲର କୁକୁଡ଼ା ଫାର୍ମା ପ୍ରତିଷ୍ଠା କରି ବେଶ ଲାଭବାନ ହୋଇଛନ୍ତି ପ୍ରଣତି । ଏହି ଫାର୍ମରେ ଅଟୋମେଟିକ୍ ଯନ୍ତ୍ରାଂଶ ସାହାଯ୍ୟରେ କୁକୁଡ଼ା ମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି । ଯାହାଦ୍ୱାରା କର୍ମଚାରୀଙ୍କୁ କାମ କରିବାରେ ସହଜ ହୋଇପାରୁଛି ।

ଭଲ ଆୟ ଦେଉଛି କୁକୁଡ଼ା ଚାଷ । ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ମିଳିଛି କର୍ମନିଯୁକ୍ତି । ପ୍ରଣତିଙ୍କ ସହ ପୁଅ ଅଙ୍କିତ ମଧ୍ୟ ଫାର୍ମ କାମରେ ସହଯୋଗ କରନ୍ତି । ପୁଅ ଏମବିଏ ପାସ୍ କରି ହାଇଦ୍ରାବାଦରେ ଚାକିରି କରିଥିଲେ । ସ୍ୱାଭିମାନର ସହ ବଂଚିବା ପାଇଁ ମା’ଙ୍କ ସହ କୁକୁଡ଼ା ଫାର୍ମର ଦେଖାରଖା କରୁଛନ୍ତି । ୫୦ ଲକ୍ଷ ଟଙ୍କା ଲୋନ୍ କରି ପାଖାପାଖି ୭୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରଏଲର କୁକୁଡ଼ା ଫାର୍ମ ତିଆରି ହୋଇଛି । ଏହି ଫାର୍ମରେ ପାଖାପାଖି ୨୨ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି । କୁକୁଡ଼ା ଗୁଡ଼ିକ ୩୫ରୁ ୪୦ ଦିନ ଭିତରେ ପାଖାପାଖି ଅଢେଇ କିଲୋ ଓଜନରେ ବିକ୍ରି ହେଉଛନ୍ତି । ଏହି କୁକୁଡ଼ା ଫାର୍ମ କେବଳ ପ୍ରଣତିଙ୍କ ପରିବାରକୁ ଲାଭ ଦେଉଛି ତା’ ନୁହେଁ ଏହା ଦ୍ୱାରା ପାଖାପାଖି ୫ଟି ପରିବାର ଉପକୃତ ହେଉଛନ୍ତି । ୫ଜଣ କର୍ମଚାରୀ କୁକୁଡ଼ା ମାନଙ୍କୁ ଜଗାରଖା କରୁଛନ୍ତି । ଯାହା ଦ୍ୱାରା ସେମାନେ ମଧ୍ୟ ଦୁଇ ପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ରୋଜଗାର କରିବା ପାଇଁ ଅନେକ ମାଧ୍ୟମ ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ରହିଛି । ତେଣୁ ଚାକିରୀ ପଛରେ ଗୋଡ଼ାଇ ସମୟ ନଷ୍ଟ କରିବା ଅପେକ୍ଷା ଏହି ସବୁ ଯୋଜନାର ସହଯୋଗରେ ରୋଜଗାରକ୍ଷମ ହେବାକୁ ବାର୍ତା ଦେଇଛନ୍ତି କୁକୁଡ଼ା ଫାର୍ମ କରିଥିବା ସଫଳ ମହିଳା ପ୍ରଣତି ମିଶ୍ର ।