ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ସମାରୋହ ବାହାନାରେ ବିରୋଧୀ କରିବେ ଶକ୍ତି ପ୍ରଦର୍ଶନ । ସାମିଲ ହେବେ ରାହୁଲ, ମମତା ଓ ଶରଦ ପାୱାରଙ୍କ ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

178

କନକ ବ୍ୟୁରୋ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଞ୍ଚିରେ ଆଜି ଦିନ ୨ଟାରେ ଶପଥଗ୍ରହଣ ସମାରୋହ ହେବ । ସୋରେନଙ୍କ ସହ ୨-୩ ଜଣ ମନ୍ତ୍ରୀ ବି ଶପଥ ନେଇପାରନ୍ତି । ଶପଥ ଗ୍ରହଣ ସମାରୋହ ବାହାନାରେ ବିରୋଧୀ ନେତା ଶକ୍ତି ପ୍ରଦର୍ଶନ କରିବେ ।

ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ, ୫ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ଶରଦ ପାୱାର, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବ , ମାୟାବତୀ, ଅରବିନ୍ଦ କେଜରିୱାଲ ଓ ଚନ୍ଦ୍ରବାବୁ ନାଇଡୁ ଭଳି ନେତା ସାମିଲ ହେବେ । ଏହାକୁ ଦୃଷ୍ଟିରେ ରଖି ରାଂଚିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ ଓ ଆରଜେଡି ମେଂଟ ୪୭ଟି ଆସନ ପାଇଛି । ୫ ବର୍ଷ କ୍ଷମତାରେ ଥିବା ବିଜେପି ଶୋଚନୀୟ ପରାଜୟ ବରଣ କରିଛି ।

ଜନତାଙ୍କୁ ଫୁଲ ବଦଳରେ ବହି ମାଗିଲେ ଭାବି ମୁଖ୍ୟମନ୍ତ୍ରୀ

ତେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ହେମନ୍ତ ସୋରେନ ନିଜ ପ୍ରଶଂସକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି । ହେମନ୍ତ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ମତେ ଫୁଲତୋଡ଼ା ବଦଳରେ ବହି ଦିଅନ୍ତୁ । ଆପଣଙ୍କ ଫୁଲତୋଡ଼ାକୁ ମୁଁ ସମ୍ଭାଳି ରଖିପାରୁନଥିବାରୁ ମତେ ଆପଣଙ୍କ ପସନ୍ଦର ବହିଟିଏ ଦିଅନ୍ତୁ । ଆପଣ ଦେଉଥିବା ବହିରେ ନିଜ ନାମ ଲେଖି ଦିଅନ୍ତୁ, ଯାହାଫଳରେ ଆପଣଙ୍କ ବହିକୁ ନେଇ ମୁଁ ଲାଇବ୍ରେରୀଟିଏ କରିବି ଓ ସେଠାରେ ସାଇତି ରଖିବି । ଆପଣଙ୍କ ପ୍ରେମଭରା ଏହି ଉପହାର ଆମ ସମସ୍ତଙ୍କର ଜ୍ଞାନବୃଦ୍ଧିରେ ସହାୟକ ହେବ ।