କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରରେ ବଦଳିଲେ ମଙ୍ଗୁଆଳ । ଜେଲରୁ ଫେରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଚମ୍ପାଇ ସୋରେନ ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ହେମନ୍ତ ତୃତୀୟ ଥର ପାଇଁ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜୁଲାଇ ୭ତାରିଖରେ ହେମନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଥିଲା। ଏହା ପୂର୍ବରୁ ରାଞ୍ଚିସ୍ଥିତ ଚମ୍ପାଇ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଶାସକ ମେଣ୍ଟର ନେତା ଓ ବିଧାୟକମାନେ ସର୍ବସମ୍ମତିକ୍ରମେ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ।
ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ଚମ୍ପାଇ ସୋରେନ ଗତକାଲି କହିଥିଲେ, ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ନିଷ୍ପତ୍ତି ଅନୁଯାୟୀ ସେ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ମେଣ୍ଟ ମଜବୁତ ରହିଛି ବୋଲି ସେ କହିଛନ୍ତି । ହେମନ୍ତଙ୍କ ସହ କ'ଣ ହେଲା ସମସ୍ତେ ଜାଣନ୍ତି। ତାଙ୍କ ବିଦାୟ ପରେ ମେଣ୍ଟ ସହଯୋଗୀମାନେ ତାଙ୍କୁ ରାଜ୍ୟର ଦାୟିତ୍ୱ ଦେଇଥିଲେ ବୋଲି କହିଛନ୍ତି। ଏବେ ମେଣ୍ଟ ହେମନ୍ତ ସୋରେନଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି । ଏଥିସହିତ ହେମନ୍ତ ସୋରେନ କହିଛନ୍ତି ଯେ, ରାଜ୍ୟରେ ନୂଆ ସରକାର ଗଠନ ପାଇଁ ସମସ୍ତ ଔପଚାରିକତା ଶେଷ ହୋଇଛି। ରାଜ୍ୟପାଳଙ୍କୁ ଭେଟିଥିବା ଶାସକ ମେଣ୍ଟର ପ୍ରତିନିଧି ଦଳରେ ଚମ୍ପାଇ ସୋରେନ ଓ ହେମନ୍ତ ସୋରେନ, ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁର, ରାଜ୍ୟ କଂଗ୍ରେସ ପ୍ରଭାରୀ ଗୁଲାମ ଅହମ୍ମଦ ମୀର, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତା, ସିପିଆଇ (ଏମଏଲ) ବିଧାୟକ ବିନୋଦ ସିଂହ ପ୍ରମୁଖ ସାମିଲ ଥିଲେ।
ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିବା ପରେ ଗତ ମାସ ୨୮ ତାରିଖରେ ସେ ଜେଲରୁ ମୁକୁଳିଥିଲେ। ପାଖାପାଖି ୫ ମାସ ଧରି ସେ ଜେଲରେ ଥିଲେ। ଚଳିତ ବର୍ଷ ଜାନୁଆରୀ ୩୧ରେ ଗିରଫ ହେବା ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହେମନ୍ତ ପୁଣି ଥରେ ରାଜ୍ୟର ଦାୟିତ୍ୱ ଗ୍ରହଣ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/07/dcdcdcd.jpg)