କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ବାରିପଦା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଦଳୀୟ ପଦାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସହ ହେବାକୁ ଥିବା ମେଣ୍ଟ ସଂପର୍କରେ ଏହି ଅବସରରେ ମୁଖ୍ୟତଃ ଆଲୋଚନା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡରେ ଜେଏମଏମ୍ ସହ କଂଗ୍ରେସର ମେଣ୍ଟ ଚୂଡ଼ାନ୍ତ ହୋଇସାରିଲାଣି। ମାତ୍ର ଓଡ଼ିଶାରେ ଏଯାବତ୍ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ବିଶେଷକରି ଦଳର ପ୍ରଭାବ ଥିବା ମୂୟରଭଂଜ ଜିଲ୍ଲାରେ କଂଗ୍ରେସ ସହ ମେଣ୍ଟର ଚୂଡ଼ାନ୍ତ ରୂପରେଖ ନେଇ ଶ୍ରୀ ସୋରେନ୍ ଦଳର ପ୍ରମୁଖ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।
ଦଳ ପକ୍ଷରୁ ମୟୂରଭଂଜ ଲୋକସଭା ଆସନରେ ଜେଏମ୍ଏମର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ସ୍ଥିର କରିସାରିଛି। ସେହିପରି ମୋରଡ଼ା, ସାରସକଣା, ରାଇରଙ୍ଗପୁର ଏବଂ ବାଙ୍ଗିରିପୋଷ ବିଧାନସଭା ଆସନକୁ ଦଳ ଦାବି କରିଛି। କିନ୍ତୁ କଂଗ୍ରେସ ପକ୍ଷରୁ ମଧ୍ୟ ଏଆଇସିସିକୁ ପଠା ଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏହି ସବୁ ନିର୍ବାଚନମଣ୍ଡଳୀର ନାମ ରହିଛି। ତେଣୁ କଂଗ୍ରେସ ଏବଂ ଜେଏମଏମ ମେଣ୍ଟକୁ ଚୂଡ଼ାନ୍ତ ରୂପ ଦେବାକୁ ଶ୍ରୀ ସୋରେନ୍ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ସେହିପରି ଜେଏମଏମ୍ ପକ୍ଷରୁ ସୁନ୍ଦରଗଡ଼, କନ୍ଧମାଳ ଏବଂ ବାଲେଶ୍ୱରରେ ମଧ୍ୟ କିଛି ବିଧାନସଭା ଆସନ ଦାବି କରାଯାଇଛି। ମାତ୍ର ଏହି ସବୁ ଜିଲ୍ଲାରେ ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସ ସହ ଜେଏମଏମର ବିବାଦ ସୃଷ୍ଟି ହୋଇଛି।
ତେବେ ହେମନ୍ତ ସୋରେନଙ୍କ ବାରିପଦା ଗସ୍ତ ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସହ ମେଣ୍ଟକୁ ନେଇ ବେଶ୍ ତାତ୍ପଯ୍ୟପୂର୍ଣ୍ଣ ଥିବା ଜଣାପଡ଼ିଛି। କାରଣ ମୟୂରଭଂଜ ଜିଲ୍ଲାରେ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଥିବା ବିଧାନସଭା ଆସନଗୁଡ଼ିକୁ କଂଗ୍ରେସ ଛାଡ଼ିବାକୁ ନାରାଜ। ତେଣୁ ଯଦିଓ କେନ୍ଦ୍ରସ୍ତରରେ ମେଣ୍ଟ ହୋଇସାରିଥିଲେ ମଧ୍ୟ ରାଜ୍ୟରେ ଏନେଇ କୌଣସି ଘୋଷଣା ହୋଇନାହିଁ। ହେମନ୍ତଙ୍କ ଗସ୍ତ କଂଗ୍ରେସ-ଜେଏମଏମ୍ ମେଣ୍ଟକୁ ଏକ ବାସ୍ତବ ରୂପ ଦେଇପାରେ ବୋଲି ଆଶା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Hemant-Soren-TMC-TW-1547885195.jpg)
/kanak/media/post_attachments/wp-content/uploads/2019/03/JMM-big-300x152.jpg)
/kanak/media/post_attachments/wp-content/uploads/2019/03/hemanta-soren-300x191.jpg)