ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କଡ଼ା ସୁରକ୍ଷା ।

163

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ହେମନ୍ତ ସୋରେନ୍ଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ ସୋରେନଙ୍କ ଗିରଫଦାରୀ ନେଇ ଆଶଙ୍କା ମଧ୍ୟ ବଢି ଯାଇଛି । ଇଡି ପୂର୍ବରୁ ୧୦ ଥର ସମନ୍ ପଠାଇଥିଲେ ହାଜର ହୋଇ ନାହାଁନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ୪୦ ଘଂଟା ଧରି ଗାୟବ ହୋଇଯିବା ପରେ ମଙ୍ଗଳବାର ହଠାତ୍ ଦିଲ୍ଲୀରୁ ରାଂଚି ପହଞ୍ଚିଥିଲେ ହେମନ୍ତ ସୋରେନ୍ । ମଙ୍ଗଳବାର ନିଜ ବାସଭବନରେ ଦେଢ ଘଂଟା ଧରି ନିଜ ବିଧାୟକଙ୍କ ସହ ବୈଠକ କରିଥିଲେ । ବୈଠକରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ୍ ମଧ୍ୟ ଉପସ୍ଥିତ ଥିଲେ ।