କନକ ବ୍ୟୁରୋ : ଝାଡଖଣ୍ଡରେ କରୋନା ସଂକ୍ରମଣ ବଢିବା ସହିତ ରାଜ୍ୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସରକାରଙ୍କ ସମସ୍ତ ଚେଷ୍ଟା ପରେ ସଂକ୍ରମଣ କମିବାର ନାଁ ନେଉନି । ହେଲେ ଏହାରି ମଧ୍ୟରେ ରାଜନେତାଙ୍କ ବୟାନ ବାଜି ଏବେ ଝାଡଖଣ୍ଡ ରାଜନୀତିକୁ ସରଗରମ କରିଛି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର କୋଭିଡ ସ୍ଥିତି ଜାଣିବା ପାଇଁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫୋନ କରିଥିଲେ । ସେତେବେଳେ ସେମାନଙ୍କ ଭିତରେ କ’ଣ କଥା ହୋଇଥିଲା ତାହା ଜଣାପଡି ନାହିଁ । ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଏକ ଟ୍ୱିଟ କରି ଲେଖିଥିଲେ କି ‘ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ଫୋନ କରିଥିଲେ,ସେ କେବଳ ତାଙ୍କ ମନର କଥା କହିଥିଲେ , ହେଲେ ସବୁଠୁ ଭଲ ହୋଇଥାନ୍ତା ଯଦି ସେ କାମର କଥା କହିଥାନ୍ତେ ଓ କାମର କଥା ଶୁଣିଥାନ୍ତେ’ ।
आज आदरणीय प्रधानमंत्री जी ने फोन किया। उन्होंने सिर्फ अपने मन की बात की। बेहतर होता यदि वो काम की बात करते और काम की बात सुनते।
— Hemant Soren (@HemantSorenJMM) May 6, 2021
ମୁଖ୍ୟମନ୍ତ୍ରୀ ସୋରେନଙ୍କ ଏହି ଟ୍ୱିଟ୍ ପରେ ଏବେ ଝାଡଖଣ୍ଡ ରାଜନୀତି ବେସ୍ ସରଗରମ ହେବାରେ ଲାଗିଛି । ଏହି ଟ୍ୱିଟ୍ କୁ ନେଇ ରାଜ୍ୟ ବିଜେପିର ନେତାମାନେ ହେମନ୍ତଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ଟ୍ୱିଟ୍ ପରେ ଝାଡଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାରାଣ୍ଡି ହେମନ୍ତ ସୋରେନଙ୍କୁ ବିଫଳ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାସହ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି କି, ତାଙ୍କ ଜୀବନକାଳ ଭିତରେ ସେ କେବେହେଲେ ଏଭଳି ଘଟିଆ ମୁଖ୍ୟମନ୍ତ୍ରୀ ଦେଖି ନାହାନ୍ତି । ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ହାଲକା ଟିପ୍ପଣୀ ଦେଇପାରନ୍ତି । ମୁଖ୍ୟମନ୍ତ୍ରୀ ପଦ ଓ ମର୍ଯ୍ୟଦାକୁ ସମ୍ମାନ ଦେବା ଶିଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।