କନକ ବ୍ୟୁରୋ: ଆସନ୍ତାକାଲି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ତେବେ ଝାଡ଼ଖଣ୍ଡରେ ଦମଦାର ବିଜୟ ପରେ ପ୍ରଶଂସକମାନେ ଏବେ ଫୁଲତୋଡ଼ା ପଠାଇବାରେ ଲାଗିଛନ୍ତି । ଏହାକୁ ନେଇ ସୋରେନ ନିଜ ପ୍ରଶଂସକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି । ହେମନ୍ତ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ମତେ ଫୁଲତୋଡ଼ା ବଦଳରେ ବହି ଦିଅନ୍ତୁ । ଆପଣଙ୍କ ଫୁଲତୋଡ଼ାକୁ ମୁଁ ସମ୍ଭାଳି ରଖିପାରୁନଥିବାରୁ ମତେ ଆପଣଙ୍କ ପସନ୍ଦର ବହିଟିଏ ଦିଅନ୍ତୁ । ଆପଣ ଦେଉଥିବା ବହିରେ ନିଜ ନାମ ଲେଖି ଦିଅନ୍ତୁ, ଯାହାଫଳରେ ଆପଣଙ୍କ ବହିକୁ ନେଇ ମୁଁ ଲାଇବ୍ରେରୀଟିଏ କରିବି ଓ ସେଠାରେ ସାଇତି ରଖିବି । ଆପଣଙ୍କ ପ୍ରେମଭରା ଏହି ଉପହାର ଆମ ସମସ୍ତଙ୍କର ଜ୍ଞାନବୃଦ୍ଧିରେ ସହାୟକ ହେବ ।

Advertisment

ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ମେଣ୍ଟକୁ ବହୁମତ ମିଳିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡିସେମ୍ବର ୨୯ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

publive-image

ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।