କ’ଣ ରହିଛି କେୟାର ହସ୍ପିଟାଲର ସତ? ହସ୍ପିଟାଲ ମାଲିକଙ୍କ ପାକିସ୍ତାନୀ ଲିଙ୍କ୍ ଥିବା ଅଭିଯୋଗ ଆଣିଲେ ବିରୋଧୀ, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

711

କନକ ବ୍ୟୁରୋ: ବିବାଦରେ କେୟାର ହସ୍ପିଟାଲ! ଭୁବନେଶ୍ୱର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ, ‘ବିରୋଧୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କେୟାର ହସ୍ପିଟାଲରେ ଚଢ଼ାଉ କରିଛନ୍ତି । ତେଣୁ ତଦନ୍ତ କାର୍ଯ୍ୟ ଚାଲିଛି, ଦିନେ ଦୁଇ ଦିନ ଭିତରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନବ ଦାସ ।

ସେପଟେ ପାକିସ୍ତାନୀ ମାଲିକାନା ନେଇ ଖଣ୍ଡନ କରିଛି କେୟାର ହସ୍ପିଟାଲ । ଆଉ କହିଛି, ପାକିସ୍ତାନର କୌଣସି ବ୍ୟକ୍ତି ବିଶେଷ ଏହି ହସ୍ପିଟାଲ ସହ ସମ୍ପୃକ୍ତ ନୁହଁନ୍ତି । ହସ୍ପିଟାଲଟି ‘ଏଭର କେୟାର ଗ୍ରୁପ୍’ର ପ୍ରେସମିଟରେ ସୂଚନା ଦେଇଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ । ଏହାପୂର୍ବରୁ ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ସହ ଲିଙ୍କ ଅଛି ବୋଲି ଆଜି ବିଧାନସଭାରେ ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏପରିକି ଏ ଯାଏଁ ଏହି ହସପିଟାଲକୁ ଏନଓସି ମିଳିନାହିଁ ଆଉ ସଂପୃକ୍ତ ମାଲିକଙ୍କ ନାଁରେ ଅପରାଧିକ ମାମଲା ରହିଛି । କିପରି ଏହା ବିକ୍ରି ହେଲା ବୋଲି ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା । ଯାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

କେଉଁ ପରିସ୍ଥିତିରେ ଅପରାଧୀ ବ୍ୟକ୍ତିଙ୍କୁ ଏହା ବିକ୍ରି କରାଗଲା ବୋଲି ସେନେଇ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା । ଆଉ ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିଳାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଉତ୍ତର ରଖିବାକୁ ଦାବି କରିଥିଲେ ତାରାପ୍ରସାଦ ବାହିନୀପତି । ଏହାର କିଛି ସମୟ ପରେ ବିଭାଗୀୟ ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।