ଅସହାୟ ଅବସ୍ଥାରେ ରାସ୍ତାକଡରେ ପଲିଥିଲା ତଳେ ଦିନ କାଟୁଛନ୍ତି ଅସହାୟ । ହିତାଧିକାରୀ ତାଲିକାରେ ନାଁ ଥାଇ ବି ହାତ ଗୁଞ୍ଜା ଦେଇ ନପାରିବାରୁ ମିଳୁନି ଅନୁମତି

69

କନକ ବ୍ୟୁରୋ : ରାଜ୍ୟ ହେଉ କି କେନ୍ଦ୍ର ସବୁବେଳେ ଗରିବଙ୍କ ପାଇଁ କେତେକଣ ଯୋଜନା କରୁଥିବାର କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ମାଲକାନଗିରି କାଲିମେଳା ବ୍ଲକର ଏମଭି-୭୯ ଅଂଚଳର ସାଲିବାନ ନାଗଙ୍କ ପରି ଅସହାୟ ପରିବାର କ୍ଷେତ୍ରରେ କିନ୍ତୁ ଏହା ସଂପୂର୍ଣ୍ଣ ଅଲଗା ।

ଏଇ ହାତରେ ବାଲି ସିମେଂଟ ଗୋଳେଇ ଅନେକ କୋଠା ତିଆରି କରିଛନ୍ତି ଏହି ବୃଦ୍ଧ ବ୍ୟକ୍ତି । ତାଙ୍କ ପରିଶ୍ରମରେ ସିନା ପକାରାସ୍ତା, କୋଠା ତିଆରି ହୋଇଛି, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଛାତ ନାହିଁ । ପଲିଥିନ ତଳେ ସ୍ୱାମୀ-ସ୍ତ୍ରୀ ଓ ଝିଅର ଜୀବନ ବିତୁଛି । ଆମେ କୁହୁଛୁ, ମାଲକାନଗିରି କାଲିମେଳା ବ୍ଲକ ଉପାନ୍ତ ଏମଭି-୭୯ ଜେଲ ସାହିରେ ରହୁଥିବା ସାଲିବାନ ନାଗଙ୍କ କଥା । ଏଇ କୁଡିଆ ଭିତରେ ରହୁଥିବା ପରିବାର ମୁହଁରେ ଦାନା ଦେବାକୁ ୭୦ ବର୍ଷିୟ ସାଲିବାନ କୁଲି କାମ କରୁଥିବା ବେଳେ ସ୍ତ୍ରୀ ବାସନ୍ତୀ ପର ଘରେ ବାସନ ମାଜୁଛନ୍ତି ।

ସାଲିବାନଙ୍କ ପରିବାର ବର୍ଷ ବର୍ଷ ଧରି ଜେଲ ସାହିରେ ଝାଟିମାଟିର କାଂଥ ଉପରେ ପଲିଥିନ୍ ଟାଣି ରହୁଛନ୍ତି । ହେଲେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କା ଘର ଯୋଜନାରେ ଏଯାଏଁ ଘରଟିଏ ମିଳି ପାରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଘର ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରେ ସାଲିବାନଙ୍କ ନାଁ ରହିଛି, ହେଲେ ସେ ହାତଗୁଂଜା ଦେଇ ପାରୁନଥିବାରୁ ଘର କାମ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ତେବେ ସାଲିବାନଙ୍କୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଖରା-ବର୍ଷାରୁ ସମସ୍ତେ ରକ୍ଷା ପାଇବେ । ଚାଳ ଘରକୁ ନେଇ କେହି ଚିନ୍ତାରେ ରହିବେ ନାହିଁ । ତେଣୁ ସମସ୍ତଙ୍କୁ ପକା ଘର ଯୋଗାଇ ଦେବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି, ହେଲେ ସାଲିବାନଙ୍କ ଭଳି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ପାଇଁ ସରକାରୀ ଯୋଜନା କେବଳ ପ୍ରହସନ ପାଲଟିଛି ।