ଶାନ୍ତନୁଙ୍କୁ ମିଳିଲା ସାହାଯ୍ୟ । ଆଶାବାଡି ନୁହେଁ ଏବେ ପ୍ଲାଷ୍ଟିକ ଗୋଡରେ ଚାଲିବେ ବାଟ, ଭୋକିଲା ପରିବାରର ଭରିବେ ପେଟ । ଶାନ୍ତନୁଙ୍କ ସଙ୍ଘର୍ଷର କାହାଣୀ ପ୍ରସାରଣ ପରେ ପୁରୀରୁ ମିଳିଲା ସାହାଯ୍ୟ

304

କନକ ବ୍ୟୁରୋ: ସେ ଆଉ ଅନ୍ୟର ସାହାରା ଲୋଡିବେନି କି ଆଶାବାଡିର ସାହାଯ୍ୟ ନେଇ ସାରା ଜୀବନ କାଟିବେନି । କିମ୍ବା ଦୁର୍ଘଟଣାରେ ଗୋଡ କଟି ଯିବା ପରେ ବିଛଣାରେ ଶୋଇ ରହି ଭାଗ୍ୟକୁ ନିନ୍ଦିବେନି । କାରଣ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ । କଟି ଯାଇଥିବା ଗୋଡରେ ପ୍ଲାଷ୍ଟିକ ଗୋଡ ଲଗାଇବାକୁ ପୁରୀରୁ ସହାୟତା ପାଇଁ ଆସିଛନ୍ତି ପତିତ ପାବନ ସଙ୍ଗଠନ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାମର୍ଦ୍ଦା ଗାଁର ୨୧ ବର୍ଷୀୟ ଶାନ୍ତନୁ ନାୟକ ଏକ ଦୁର୍ଘଟଣାରେ ନିଜ ଡାହାଣ ଗୋଡ ହରାଇଥିଲେ । ଗତ ଫେବୃୟାରୀରେ ସାନ ଭାଇକୁ ପରୀକ୍ଷା କେନ୍ଦ୍ରକୁ ନେବା ବାଟରେ ଟ୍ରକ ସହ ଦୁର୍ଘଟଣା ହୋଇ ଶାନ୍ତନୁ ଡାହାଣ ଗୋଡ ହରାଇଥିଲେ ।

ଗୋଡ କଟିଯିବା ପରେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଘରେ ବସି ରହିିଲା । ଫଳରେ ତେଲ ଲୁଣ ସଂସାର ଚାଲିବା ଏକଦମ କଷ୍ଟ ହୋଇପଡିଲା । ଟଙ୍କା ନଥିବାରୁ ଶାନ୍ତନୁଙ୍କ ଅତ୍ୟାଧୁନିକ ଅସ୍ତ୍ରୋପଚାର ହୋଇପାରିଲାନି ତେଣୁ ତାଙ୍କ ଗୋଡ କଟାହେଲା । ଗୋଡ କଟିଯିବା ପରେ ପ୍ଲାଷ୍ଟିକ ଗୋଡ ପାଇଁ କେହି ଅର୍ଥ ଦାନ କଲେ ସେ ପୁଣି ଥରେ ନିଜ ପରିବାର ଚଳାଇ ପାରନ୍ତେ ବୋଲି ଗୁହାରୀ କରିଥିଲେ ଶାନ୍ତନୁ ।

ତେବେ ଶାନ୍ତନୁଙ୍କ ସଙ୍ଘର୍ଷର କାହାଣୀ କନକ ନ୍ୟୁଜରେ ପ୍ରସାରଣ ପରେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ପୁରୀର ପତିତ ପାବନ ସ୍ୱେଚ୍ଛାସେବୀ ସଂଗଠନ । ଶାନ୍ତନୁଙ୍କ ଡାହାଣ ଗୋଡରେ ଏକ ପ୍ଲାଷ୍ଟିକ ଗୋଡ ଲଗାଇବାକୁ ସେମାନେ ପୁରୀରୁ ପରଜଙ୍ଗ ଆସିଛନ୍ତି । ଆଉ ସେମାନଙ୍କ ସହ ତାଙ୍କୁ ପୁରୀ ନେଇଯାଇଛନ୍ତି ।

ବାମ ଗୋଡକୁ ଲକ୍ଷ୍ୟ କରି ଶାନ୍ତନୁଙ୍କ ଡାହାଣ ଗୋଡ ତିଆରି ହେବ । ତେଣୁ ପୁରୀରେ ୧୦ରୁ ୧୨ ଦିନ ରହିବେ ଶାନ୍ତୁନୁ । ଆଉ ପ୍ଲାଷ୍ଟିକ ଗୋଡ ଲଗାଇ ସାରିବା ପରେ ଶାନ୍ତନୁ ଏନ ନୂଆ ଆଶା ନେଇ ଘରକୁ ଫେରିବେ । ଯାହା ଶାନ୍ତନୁଙ୍କ ପୂରା ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇବ । ତେବେ ଶାନ୍ତୁନୁଙ୍କୁ ସାହାଯ୍ୟ ମିଳିବା ପରେ ସେ କନକ ନ୍ୟୁଜକୁ ଧନ୍ୟବାଦ ଦେଇଛନ୍ତି ।