୫ ଟଙ୍କିଆ ଆହାରରେ ପୂରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ପଂଜିକୃତ ନିର୍ମାଣ ଶ୍ରମିକଙ୍କ ଜୀବନ ।

132

କନକ ବ୍ୟୁରୋ: ୫ ଟଙ୍କିଆ ଆହାରରେ ପୁରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ଜୀବନ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ କଥା । ଅଜଣା ରୋଗରେ ପୀଡିତ ହୋଇ ସର୍ବଶାନ୍ତ ହୋଇ ଗଲେ ରାଜମିସ୍ତ୍ରୀ । ଘର ଦ୍ୱାର ବିକିବା ପରେ ଖୋଲା ଆକାଶ ତଳେ ପଲିଥିଲ ଟାଣି ବଂଚିଛନ୍ତି ଗୋଟିଏ ପରିବାର । ତେବେ ଏନ୍ତୁଡିଶାଳ ଠାରୁ ମଶାଣି ଯାଏଁ ସବୁ ପାଇଁ ରହିଛି ସରକାରୀ ଯୋଜନା ।  କିନ୍ତୁ ଅସହାୟ ଶ୍ରମିକଙ୍କ ନିକଟରେ ପହଁଚି ପାରିନାହିଁ ସେ ସବୁ ଯୋଜନା । ଆଉ ସୋସିଆଲ ମିଡିଆରେ ନିର୍ମାଣ ଶ୍ରମିକଙ୍କ ଦୁର୍ଦଶାର ବିକଳ ଚିତ୍ର ଘୁରି ବୁଲିବା ପରେ ସହୃଦୟ ବ୍ୟକ୍ତିମାନେ କିଂଚିତ ସହାୟତା କରୁଛନ୍ତି ସତ, କିନ୍ତୁ ସରକାରୀ କଳ ସବୁ ଦେଖି ଚୁପ ବସିବା ପରିତାପର ବିଷୟ ।

ଜୀବନ କାଳରେ ଲୋକଙ୍କ ପାଇଁ କେତେ ପକ୍କାଘର ତୋଳିଛନ୍ତି । ତାଙ୍କ ଶ୍ରମରେ ଗଢି ଉଠିଛି କେତେ ଅଟ୍ଟାଳିକା । ହୁଏତ ସେତେବେଳେ ପାରିଶ୍ରମିକ ବି ମିଳିଛି । ହେଲେ ସମୟ ସ୍ରୋତରେ ବଦଳିଯାଇଛି ଜୀବନ । ଅନ୍ୟମାନଙ୍କ ପାଇଁ ସୁନ୍ଦର ସୁନ୍ଦର କୋଠା ତୋଳିଥିବା ମଣିଷ ଆଜି ପଲିଥିନ ତଳେ ପିଲାଛୁଆଙ୍କୁ ଧରି ବଂଚୁଛନ୍ତି । ମାଲକାନଗିରି ଏମ.ଭି ୪୩ ଗାଁର ରାଜ ମିସ୍ତ୍ରୀ ପରିମଳ ହାଲଦାର । କିଡନି ରୋଗରେ ପୀଡିତ ହୋଇ ଘରଦ୍ୱାର, ଗାଡିଘୋଡା ବିକି ସର୍ବହରା ହୋଇଯାଇଛନ୍ତି ପଂଜିକୃତ ନିର୍ମାଣ ଶ୍ରମିକ । ଶେଷରେ ରୋଷେଇ ଗ୍ୟାସ ଟାଙ୍କିକୁ ହଜାରେ ଟଙ୍କାରେ ବିକି ପଲିଥିନ କିଣିଲେ, ଆଉ ଖୋଲା ଆକାଶ ତଳେ ପଲା କରି ମୁଣ୍ଡ ଗୁଂଜିଛନ୍ତି ରାଜମିନ୍ତ୍ରୀ ପରିମଳ ଓ ସ୍ତ୍ରୀ ପ୍ରଭାତି ଏବଂ ୯ ବର୍ଷର ଝିଅ ବିଦୁସ୍ମିତା ।

ସମୟ ସ୍ରୋତରେ ବଦଳିଛି ଜୀବନ

ସର୍ବହରା ହୋଇଛନ୍ତି ନିର୍ମାଣ ଶ୍ରମିକ

୫ ଟଙ୍କିଆ ଆହାରରେ ପୂରୁଛି ପେଟ 

ଜମି ବାଡି ବିକ୍ରୀ କରିବା ପରେ କିଛି ବର୍ଷ ଶ୍ୱଶୁର ଘରେ ରହୁଥିଲେ ପରିମଳଙ୍କ ପରିବାର । ପରେ ସେଠାରୁ ଆସି ବର୍ଷ ବର୍ଷ ଧରି ଭଡା ଘରେ ରହିଲେ । ଭଡା ଟଙ୍କା ଦେଇ ନପାରି ଭଡା ଘରେ ଖଟ, ଆଲମିରା ପରି ଆସବାବ ପତ୍ର ଛାଡିି ମାଲକାନଗିରି ଡାକ୍ତରଖାନା ନିକଟସ୍ଥ ରାଇସ ମିଲ ପଛରେ ବସବାସ କରୁଛନ୍ତି ପରିମଳଙ୍କ ପରିବାର । ଅଦିନିଆ ବର୍ଷାରେ ପଲା ଭିତରେ ସବୁ ଆସବାବ ପତ୍ର ଓ କାଠ ଓଦା ହୋଇଯିବା ପରେ ରୋଷେଇ ବାସ ବି ବନ୍ଦ । ତେଣୁ ଡାକ୍ତରଖାନା ଆହାର କେନ୍ଦ୍ରରୁ ଦୁଇ ଓଳା ଦୁଇ ପ୍ୟାକେଟ ଆହାର ଆଣି ସ୍ୱାମି ଓ ଝିଅ ମୁହଁରେ ମୁଠା ଆହାର ଦେଉଛନ୍ତି ପରିମଳଙ୍କ ସ୍ତ୍ରୀ ପ୍ରଭାତି ।

ପରିମଳଙ୍କ ଦୁର୍ଦଶାର ଖବର ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସ୍ଥାନୀୟ ଯୁବକ ତଥା ସମାଜ ସେବୀ ବିନୋଦ ଟାୱାରୀ ତାଙ୍କୁ ୨୦ ହଜାର ଟଙ୍କା ଆର୍ଥୀକ ସହାୟତା ଓ କିଛି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । କିନ୍ତୁ ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଏଯାଏଁ ଏହି ବିକଳ ଚିତ୍ର ଉପରେ ପଡିପାରି ନାହିଁ ।