କନକ ବ୍ୟୁରୋ : ବୟସର ଅପରାହ୍ନରେ ଜୀବନ ସହ ସଂଘର୍ଷ । ବାପାମାଆ ନଥିବା ବେଳେ ଅସହାୟ ଦୁଇ ପିଲାଙ୍କ ଦାୟିତ୍ୱ ମୁଣ୍ଡାଇଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ନଥିବା ବେଳେ ପିଲା ଦୁଇଟିଙ୍କୁ କିଭଳି ମଣିଷ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ବାଲେଶ୍ୱର ଭୋଗରାଇ କାଁଥି ଭଉଁରୀର ପୋଚି ଭୋଳ । ହସଖୁସିରେ ଚାଲିଥିଲା ପରିବାର । ହେଲେ ଘରର ରୋଜଗାରିଆ ପୁଅର ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଛାଡି ଚାଲିଗଲା ବୋହୁ । ଶେଷରେ ଏହି ଦୁଇ ପିଲାଙ୍କ ଦାୟିତ୍ୱ ରହିଲା ବୁଢୀ ମାଆ ଉପରେ । ପଲିଥିନ୍ ତଳେ ଦୁଇ ଅସହାୟ ନିଲାଙ୍କୁ ନେଇ ଭୋକ ଉପାସରେ ପଡି ରହିଛନ୍ତି ପୋଚି । ମୂଲ ପାଇଟି କରି ଦୁଇ ପଇସା ଆଣୁଛନ୍ତି । ହେଲେ ତାହା ସମୁଦ୍ରକୁ ଶଙ୍ଖେ କହିଲେ ଚଳେ । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ପରିବାର ସହ । ବହୁବାର ନିରାଶ ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି । କିଛି ସାହାଯ୍ୟ ମାଗିଛନ୍ତି । ହେଲେ ଏବେ ବି ଅସହାୟ ହୋଇ ପଡିରହିଛନ୍ତି ପଲିଥିନ୍ ତଳେ ।
ଅସହାୟ ଅବସ୍ଥାରେ ଏହି ପରିବାର ରହୁଛନ୍ତି । ପେଟକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିବା ବେଳେ ପିଲାଙ୍କ ପାଠପଢା ବି ଅଧାରେ ରହିଯାଇଛି । ପୋଚି କାମ କରି ଆଣୁଥିବା ବେଳେ ତାହା ଏହି ପରିବାରକୁ ନିଅଂଟ । ବିଭିନ୍ନ ସ୍ଥାନରେ କିଛି ସାହାଯ୍ର ପାଇ ଅନୁରୋଧ କରିଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ତ ଦୂର କଥା ଖାଇବାକୁ ଠିକ୍ ଭାବେ ମୁଠାଏ ମିଳିପାରୁନି । ସେପଟେ ଅସହାୟ ବୃଦ୍ଧାଙ୍କ ପରିବାରକୁ ସହଯୋଗ ପାଇଁ ମିଳିଛି ପ୍ରତିଶ୍ରୁତି ।
ଦୀର୍ଘ ଦୁଇ ବର୍ଷ ଧରି ଅସହାୟ ହୋଇପଡିରହିଥିବା ବୃଦ୍ଧା ପୋଚିଙ୍କୁ ସାହାଯ୍ୟ ସହଯୋଗ ଯୋଗାଯାଇପାରିଲେ ଏହି ପରିବାର ଉପକୃତ ହୋଇପାରିବେ ।