ଦୁଃଖର ଚକ୍ରବ୍ୟୁହରେ ଚାପି ହୋଇଛନ୍ତି ଚମ୍ପା: ନା ମୁଣ୍ଡ ଉପରେ ଛପର ଅଛି ନା ରହିବାକୁ ଘର । ବାତ୍ୟାରେ ଘର ଭାଙ୍ଗିଯିବା ପରେ ଗାଁ କୋଠଘରେ ବିତୁଛି ଜୀବନ

106

କନକ ବ୍ୟୁରୋ: ଦୂରରୁ ଦିଶୁଥିବା ଏ ଭଙ୍ଗା ଚାଳ ଘରେ ଜଣେ ବିଧବା ମହିଳା ରହନ୍ତି ଆଉ ତାଙ୍କ ସହ ରୁହେ ଦୁଃଖର ଦାନବ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେବ ଏମିତି ଜୀବନ-ଯନ୍ତ୍ରଣା ସହ ଯୁଝିଯୁଝି ଦୁଃଖରେ ଦିନ କାଟୁଛନ୍ତି ଢେଙ୍କାନାଳ ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ଗରିବ ମହିଳା ଚମ୍ପା ସାହୁ ।

୫ ବର୍ଷ ତଳେ ଚମ୍ପାଙ୍କୁ ଏକା କରି ସ୍ୱାମୀ ଆରପାରିକୁ ଚାଲି ଯାଇଛନ୍ତି । ଆଉ ସ୍ୱାମୀ ଗଲା ପରେ ସେହି ଭଙ୍ଗା ଘରେ କଷ୍ଟେମଷ୍ଟେ କାଳତିପାତ କରୁଥିଲେ ଚମ୍ପା । ହେଲେ ଗତ ବନ୍ୟାରେ ଘରର ଛାତ ସମ୍ପୂର୍ଣ୍ଣ ଉଡିଯିବା ପରେ କାହାଠୁ ପଲିଥିନଟିଏ ମାଗିଆଣି ଭଙ୍ଗା ଛପରରେ ଥା ମା କରି ରଖିିଥିଲେ । ମାତ୍ର ବଡ ବର୍ଷାରେ ପଲିଥିନ ଫାଟି ବର୍ଷା ପଡୁଥିବାରୁ ଘରେ ରହିବା ଚମ୍ପାଙ୍କ ପାଇଁ ଅସମ୍ଭବ ହୋଇ ପଡିଛି ।

ସରକାରଙ୍କ ତରଫରୁ ଚମ୍ପାଙ୍କୁ ମାସକୁ ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତା ମିଳୁଛି । ଯେଉଁଥିରେ ସେ କଷ୍ଟେମଷ୍ଟେ ଚଳିଯାଉଛନ୍ତି । ମାତ୍ର ଭଙ୍ଗା ଘରେ ବର୍ଷା କାରଣରୁ ଚୁଲି ଓଦା ହୋଇଗଲେ ଚମ୍ପା ଭୋକ ଉପାସରେ ଶୋଇପଡନ୍ତି । ଭଙ୍ଗା ଘରେ ରାତି କାଟିବା ଚମ୍ପାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥିବାରୁ ସେ ବାଧ୍ୟ ହୋଇ ଗାଁ କୋଠଘରେ ରହୁଛନ୍ତି ।

ଦୀର୍ଘ ୫ ବର୍ଷ ହେବ ଚମ୍ପାଙ୍କ ପରିବାର ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ସ୍ଥାନୀୟ ପ୍ରତିନିଧିଙ୍କୁ ବାରମ୍ବାର କହି ସାରିଥିବା ବେଳେ ସରକାରୀ ବାବୁଙ୍କ କାନରେ ତାଙ୍କ ଦୁଃଖ ପକାଇବାକୁ ତାଙ୍କ ପାଖରେ କେହି ନାହାନ୍ତି । ଯାହାକୁ ପଚାରିଲେ ସମସ୍ତେ, ତାଲିକାରେ ଅଛି ମିଳିବ ବୋଲି କହି କଥା ସାରି ଦେଉଛନ୍ତି । ତେବେ ଚମ୍ପାଙ୍କ ଦୁଃଖ କାହାଣୀ ଶୁଣିବା ପରେ ଜିଲ୍ଲାପାଳ ବିଡିଓଙ୍କୁ କହି ଏ ବାବଦରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।