ବୌଦ୍ଧରେ ବଡ଼ ଦେଉଳର କୁନି ଜଗା-ବଳିଆ । ହାତ ଅଛି କାମ କରୁନି, ଗୋଡ଼ ଅଛି ହେଲେ ଚାଲି ହେଉନି । ଦୁଇ ପୁଅଙ୍କ ଚିକିତ୍ସା ପାଇଁ ମାଆ ଦେବକୀ କରୁଛି ଗୁହାରୀ, କିଏ ହେବ ସାହା ?

526

କନକ ବ୍ୟୁରୋ: ପୁଣି ଯାଆଁଳା ଭାଇଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମରୁ ଠିକ୍ ଠାକ୍ ଚାଲୁଥିବା ଯାଆଁଳା ଭାଇ ଜଗା-ବଳିଆଙ୍କ ଗୋଡ଼ ହଠାତ ଅଚଳ ହୋଇଯାଇଛି । ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲିଛନ୍ତି ବାପା-ମାଆ । ହେଲେ ଡାକ୍ତର ଅପରେସନ୍ ପାଇଁ କହିବାର ପରେ ଅଟକି ଯାଇଛି ଚିକିତ୍ସା । ଗରିବ ପରିବାରରେ ପୁଅଙ୍କ ଚିକିତ୍ସାର ଗତିରୋଧ କରିଛି ଆର୍ଥିକ ଅନଟନ ।

ଜଗା-ବଳିଆଙ୍କ ଜୀବନ ଯନ୍ତ୍ରଣାର ଦୁଃଖଦ କାହାଣୀ । । ବଡ ଦେଉଳର ରତ୍ନ ସିଂହାସନରେ ବସିଥିବା ଜଗା-ବଳିଆଙ୍କର ସିନା ଗୋଡ ନାହିଁ, କିନ୍ତୁ ବୌଦ୍ଧର ଦୁଇ ଭାଇ ଜଗା ବଳିଆଙ୍କ ଗୋଡ ଅଛି, ହେଲେ ଚାଲିବାକୁ ଅସମର୍ଥ । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି ଦୁଇ ଭାଇ । ଜଗା ବଳିଆଙ୍କ ଜନ୍ମ ପରେ ଖୁସିରେ ଭରି ଯାଇଥିଲା ବୌଦ୍ଧ ସଦର ବ୍ଲକ ଏରେଡ଼ା ଗାଁର ଦେବକୀ ହାତୀଙ୍କ କୋଳ । ହେଲେ ସେହି ଖୁସି ବେଶି ଦିନ ରହିଲା ନାହିଁ । ଜଗା-ବଳିଆ ପଂଚମରେ ପଢୁଥିବା ବେଳେ ଅସୁସ୍ଥ ହୋଇପଡିଲେ । ୬ ମାସ ଭିତରେ ଅଚଳ ହୋଇଗଲା ଏମାନଙ୍କ ଗୋଡ । ଚାଲିବା ତ ଦୂରର କଥା ଠିଆ ବି ହୋଇପାରିଲେ ନାହିଁ । ଆଉ ତା’ପରେ ଏମିତି ଆଣ୍ଠେଇ ଆଣ୍ଠେଇ ଚଲାବୁଲା କରୁଛନ୍ତି ଯାଆଁଳା ଭାଇ ଜଗା-ବଳିଆ ।

୧୧ ବର୍ଷର ଜଗା-ବଳିଆ । ପାଠପଢା ସହ ଖେଳିବା-ବୁଲିବାର ବୟସ । ହେଲେ ଜଗା-ବଳିଆ ଯନ୍ତ୍ରଣା ସହ ଲଢେଇ କରୁଛନ୍ତି । ଚାଲି ପାରୁନାହାନ୍ତି କି ସ୍କୁଲ ଯାଇପାରୁନାହାନ୍ତି । ଏପରି ଅବସ୍ଥାରେ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ଚାରିଆଡ଼େ ବୁଲିଛନ୍ତି ବାପା, ମା । ବୌଦ୍ଧରୁ କଟକ, ଭୁବନେଶ୍ୱର, ବୁର୍ଲା ଡାକ୍ତରଖାନା ଯାଇ ଫେରିଛନ୍ତି ଏମାନେ । ଦୁଇ ପିଲାଙ୍କ ଗୋଡର ଅପରେସନ କରିବାକୁ ପଡିବ, ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକ ବୋଲି ଡାକ୍ତର କହିବା ପରେ ଭାଙ୍ଗି ପଡିଛନ୍ତି ଏହି କୁଡିଆ ଘରେ ରହୁଥିବା ଜଗା-ବଳିଆଙ୍କ ଗରିବ ବାପା-ମାଆ । ଚିକିତ୍ସା ପାଇଁ ଅସମର୍ଥ ବାପା-ମାଆ ଏବେ ପିଲାଙ୍କ ଭରସା ଭଗବାନଙ୍କ ହାତରେ ଛାଡି ଦେଇଛନ୍ତି । ଜଗା-ବଳିଆଙ୍କ ସମସ୍ୟା ନେଇ ଆମ ପ୍ରତିିନିଧି ଅଲେଖିକା ପୃଷ୍ଟି ଭେଟିଥିଲେ ବୌଦ୍ଧ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ।

ଦୁଇ ଦୁଇଟା ପୁଅଙ୍କର ଏଭଳି ଅବସ୍ଥାରେ ଭାଙ୍ଗି ପଡିଥିବା ପରିବାରକୁ ସାହା ହୁଅନ୍ତୁ ଭଗବାନ । ପୁଅଙ୍କ ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା କରିଥିବା ପରିବାରକୁ କେହି ସହୃଦୟ ବ୍ୟକ୍ତି ବିଶେଷ ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କଲେ ହୁଏତ, କୁନି ପୁଅ ଦୁଇ ଜଣ ପୁଣି ଚାଲିପାରନ୍ତେ ।