ଦାରିଦ୍ର୍ୟତା ଆଣିଛି ଦୁଃଖ ପରେ ଦୁଃଖ ! ମାନସିକ ବିକୃତ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଅସହାୟ ଆଦିବାସୀ ପରିବାର ଆଖିରୁ ଲୁହ ପୋଛିବ କିଏ ?

268

କନକ ବ୍ୟୁରୋ: ଦାରିଦ୍ର୍ୟ ଏବଂ ଅଭାବ ଆଗରେ ହାର ମାନିଛନ୍ତି ବାପା ମା । ପୁଅର ଚିକିତ୍ସା ପାଇଁ ଅସମର୍ଥ ହେବାପରେ ଛାଡି ଦେଇଛନ୍ତି ଚିକିତ୍ସା କରିବା । ପୁଅର ଚିକିତ୍ସା ପାଇଁ ସବୁ ବିକି ଭାଙ୍ଗି ଖର୍ଚ୍ଚ କରିସାରିଲେଣି । ହେଲେ ପୁଅର ସ୍ୟାସ୍ଥବସ୍ତାରେ ସୁଧାର ନାହିଁ । ଦୀର୍ଘ ୧୧ବର୍ଷ ହେଲାଣି ପୁଅ ମାନସିକ ବିକୃତିର ଶିକାର ହୋଇଥିବା ବେଳେ, ସବୁବେଳେ ଗୁରୁଣ୍ଡି ଗୁରୁଣ୍ଡି ହୋଇ ବୁଲୁଛି । ଏମିତି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଉପାନ୍ତ ଅଞ୍ଚଳରୁ ।

ପୁଅକୁ ନେଇ ଚିନ୍ତାରେ ଗରିବ ଆଦିବାସୀ ପରିବାର । ଜନ୍ମରୁ ମାନସିକ ଭାବେ ଭିନ୍ନକ୍ଷମ ପୁଅକୁ ନେଇ ଚିନ୍ତାରେ ବାପା, ମାଆ । ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳର ଆର.ଏସ.ସି – ୧୫ ନମ୍ବରରେ ବସବାସ କରନ୍ତି ତ୍ରିନାଥ ଗୋଲୋରୀ ଓ ଶୁକଦେଇ ଗୋଲୋରୀଙ୍କ ପରିବାର । ତାଙ୍କର ଚାରିଜଣ ସନ୍ତାନ ଥିବା ବେଳେ ସାନ ପୁଅ ଚିନ୍ତାରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ସାନ ପୁଅ ପରଦେଶୀ ଗୋଲୋରୀ ଜନ୍ମରୁ ମାନସିକ ବିକୃତିର ଶିକାର ହୋଇଥିବା ବେଳେ ଚଲା ବୁଲା କରିପାରୁନାହିଁ । ପୁଅ ଛୋଟ ଥିବା ସମୟରେ ତାହାର ଏହି ସବୁ ବ୍ୟବହାର ଦେଖି ମାଲକାନଗିରି, କୋରାପୁଟ ଓ ପରେ ନବରଙ୍ଗପୁର ହସ୍ପିଟାଲରେ ଚିକିତ୍ସା କରାଇଥିଲେ । କିନ୍ତୁ କିଛିବି ସୁଫଳ ମିଳିଲା ନାହିଁ । ଘରର ସମସ୍ତ ଜିନିଷ ପତ୍ର ବିକ୍ରି କରି ଚିକିତ୍ସାରେ ସୁଫଳ ନମିଳିବା ପରେ ବର୍ତମାନ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ହାତ ଟେକି ଦେଇଛନ୍ତି ବାପା ମା ।

ପରଦେଶୀଙ୍କ ବାପା ମଧ୍ୟ ତିନିବର୍ଷ ହେଲାଣି ପାରାଲିସିସ ଯୋଗୁଁ ତାଙ୍କର ବାମ ହାତ କାମ କରୁନାହିଁ । ସେ ବି ଅସୁସ୍ଥ ହୋଇ ଘରେ ପଡିରହିଛନ୍ତି । ଏହି ସମୟରେ ଘରର ବୋଝ ମୁଣ୍ଡାଇଛନ୍ତି ପତ୍ନୀ ଶୁକଦେଇ ଗୋଲୋରୀ । ସ୍ୱାମୀଙ୍କୁ ଅସୁସ୍ଥ ଦେଖି ସ୍ତ୍ରୀ ଶୁକଦେଇ କାଠ ବିକ୍ରି କରି କୁଲି କାମ କରି ପରିବାରର ପ୍ରତି ପୋଷଣ କରୁଛନ୍ତି । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ତରଫରୁ ଯଦି କୌଣସି ସହାୟତା ମିଳନ୍ତା ତାହାଲେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।