ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ

89

କନକ ବ୍ୟୁରୋ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଲଟିଛି ସାତ ସପନ । କିଡନୀ ରୋଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ୍ ମୁରାରିପୁର ଗାଁର ୨୨ ବର୍ଷୀୟ ଯୁବକ ରାଜେଶ ଜେନା । ଅଭାବ ଅନଟନ ମଧ୍ୟରେ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ରାଜେଶ । ପୁଅକୁ ଭଲ କରିବା ପାଇଁ ପରିବାର ଲୋକ ଯାଜପୁରରୁ କଟକ, କଟକରୁ ଦିଲ୍ଲୀ ନେଇଥିଲେ, ହେଲେ ଅସ୍ତ୍ରପ୍ରଚାର ପାଇଁ ଟଙ୍କା ଯୋଗାଡ ହୋଇପାରୁନଥିବାରୁ ପୁଣି ଘରକୁ ଫେରାଇ ଆଣିଛନ୍ତି । ଗାଁ, ବନ୍ଧୁବାନ୍ଧବ ଓ ସାହି ପଡିଶାରୁ ମାଗିଯାଚି ବହୁ କଷ୍ଟରେ ସପ୍ତାହରେ ଦୁୁଇ ଥର କଟକ ନେଇ ଡାଏଲିସିସ୍ କରାଉଛନ୍ତି ।

ମାଟି କାନ୍ଥର କୁଡିଆ ଭିତରୁ ପାଠପଢି ଆଗକୁ ବଢିବାର ସ୍ୱପ୍ନ ଦେଖୁଥିବା ଯୁବକଙ୍କୁ ଅଚଳ କରି ଦେଇଛି କିଡନୀ ରୋଗ । ଯୁକ୍ତ ୨ ଶେଷ ବର୍ଷରେ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ରାଜେଶ ଜେନା । ପୁଅକୁ ଚିକିତ୍ସା ପାଇଁ କଟକ ନେଇଥିଲେ ବାପା-ମାଆ, ସେଠାରେ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ନେବାକୁ ହେବ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ପୁଅକୁ ଦିଲ୍ଲୀ ନେଇଥିଲେ, କିନ୍ତୁ ଅର୍ଥ ଅଭାବରୁ ସେଠାରୁ ଫେରି ଆସିଛନ୍ତି । ଆଉ ଏବେ ଏହି କୁଡିଆ ଭିତରେ ରାଜେଶଙ୍କ ପାଇଁ ବୋଝ ପାଲଟି ଯାଇଛି ଜୀବନ ।

ବଖରାଏ ଚାଳଛପର ଘରେ ରହୁଥିବା ପରିବାର ରାଜେଶଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡରେ ଲାଗିଛନ୍ତ । ସମାଜସେବୀ ଓ ବନ୍ଧୁ ବାନ୍ଧବଙ୍କ ସହାୟତାରେ ଡାଏଲସିସି୍ ଚାଲିଛି । କିନ୍ତୁ ଏହି ଅଭାବୀ ପରିବାର ପାଖରେ ପହଂଚିପାରି ନାହିଁ କୌଣସି ସରକାରୀ ସ୍ୱାସ୍ଥ୍ୟ ଯୋଜନା କି ପହଂଚି ପାରିନାହାନ୍ତି ସ୍ଥାନୀୟ ଲୋକ ପ୍ରତିନିଧି । ଅନ୍ୟପଟେ ଆମ ପ୍ରତିନିଧିଙ୍କ ଠାରୁ ରାଜେଶଙ୍କ ସଂପର୍କରେ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ପ୍ରଶାସନିକ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର । ତେବେ କେବେ ମିଳୁଛି ରାଜେଶଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମିଳିବ ଆଉ ତାଙ୍କ ଚିକିତ୍ସା ବ୍ୟବସ୍ଥା ଆଗକୁ ବଢିବ ତାକୁ ହିଁ ଅପେକ୍ଷା ।