କନକ ବ୍ୟୁରୋ : ହାତ କଉଣିରେ ଆଘାତ ଯୋଗୁଁ ୨୦୧୯, ଅକ୍ଟୋବର ୨୨ତାରିଖ ଦିନ ଏମକେସିଜି ମେଡିକାଲକୁ ଆସିଥିଲେ କନକ । ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ହେଲେ ସେବେଠାରୁ ତାଙ୍କୁ ଦୂରେଇ ଦେଇଛି ପରିବାର । ୪ ବର୍ଷ ହେଲା ଏଇ ମେଡିକାଲରେ ପଡି ରହିଛନ୍ତି ବୃଦ୍ଧା ଜଣଙ୍କ ।

Advertisment

ଗୋଡରେ ଆଘାତ ଲାଗିବାରୁ ୨୦୨୧, ଅଗଷ୍ଟ ୨୯ରୁ ଦକ୍ଷିଣ ଓଡିଶାର ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ଝିଅ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ରହୁଥିଲେ ହେଁ ଯୋଗାଯୋଗ ନାହିଁ । ତେଣୁ ସୁସ୍ଥ ହେବା ପରେ ୨ବର୍ଷ ହେଲା ମେଡିକାଲରେ ରହୁଛନ୍ତି ପି. ନୀଳକଣ ।

ଏମକେସିଜିରେ ଏମିତି ଅନକେ କାହାଣୀ ଅଛି । ଅବହେଳିତ ବାପା-ମାଆ ଅଛନ୍ତି । ଗୋଳାବନ୍ଧ ଅଂଚଳର ବନଜା ପଟନାୟକ ଓ ବ୍ରହ୍ମପୁରର ପ୍ରକାଶ ସେଠୀଙ୍କ ସମେତ ବହୁ ବୟସ୍କ ବ୍ୟକ୍ତିଙ୍କ ସେହି ସମାନ ଅବସ୍ଥା । ଚିକିତ୍ସା କରାଇବାକୁ ଆଣି ଡାକ୍ତରଖାନାରେ ଛାଡି ଚାଲିଯାଇଛନ୍ତି ପିଲା । ଆଉ ବର୍ଷ ବର୍ଷ ଧରି ପରିବାରକୁ ଅପେକ୍ଷା କରିଥିବା ବୟସ୍କଙ୍କୁ ସାହାରା ଦେଇଛି ଏମକେସିଜି । ବେସାହାରାଙ୍କ ଯତ୍ନ ନେବା ଲାଗି ପ୍ରତ୍ୟେକ ବିଭାଗରେ ଜଣେ ଲେଖାଏଁ ସ୍ୱତନ୍ତ୍ର ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ।

ପରିଣତ ବୟସରେ ବାପା-ମା’ଙ୍କ ପ୍ରତି ଏଭଳି ଅବିଚାରକୁ ନେଇ କ୍ଷୋଭପ୍ରକାଶ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଅନ୍ୟପକ୍ଷେ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହ ଆଲୋଚନା ଚାଲିଛି, ଖୁବ୍ଶିଘ୍ର ଏହାର ସମାଧାନ ହୋଇଯିବ ବୋଲି ଏମକେସିଜି ମେଡିକାଲ ଅଧିକ୍ଷକ କହିଛନ୍ତି ।

ବେଳ ଥାଉ ଥାଉ ସୁଧୁରିଯାଇ ଜନ୍ମଦାତ୍ରୀ ଓ ଜନ୍ମଦାତାଙ୍କୁ ଆପଣେଇ ନେବା ଆବଶ୍ୟକ, ନଚେତ ଭବିଷ୍ୟତରେ ସେହି ପିଲାମାନଙ୍କୁ ସମଦଷା ଭୋଗିବାକୁ ପଡିପାରେ ।