ସହରୀ ପୁଅକୁ ଦେଖିବା ପାଇଁ ଗାଁରୁ ଖରାରେ ଧାଇଁ ଆସିଥିଲା ମା’ । ହେଲେ ମା’କୁ ଦେଖି କବାଟ କିଳିଦେଲା ପୁଅ । କାନ୍ଦି କାନ୍ଦି ବଖାଣିଲେ ନିଜର ବେଦନା ।

126

କନକ ବ୍ୟୁରୋ: ମା’ ଏମିତି ଏକ ଶବ୍ଦ ଯାହାର ପ୍ରତିଟି କଥାରେ ରହିଛି ଅକୁଣ୍ଠ ମମତା । ଯେତେବେଳେ ଆମେ ଦୁନିଆର ଆଲୋକ ଦେଖୁ ସେତେବେଳେ ଆମ ପାଟିରୁ ପ୍ରଥମ ଶବ୍ଦ ବି ମା’ହିଁ ବାହାରି ଥାଏ । କେବଳ ଶବ୍ଦ ନୁହେଁ ମା’ଠାରୁ ନିଷ୍ଠା, ପ୍ରେମ ତ୍ୟାଗ ଭଳି ଅନେକ କିଛି ଶିକ୍ଷା ମିଳିଥାଏ । ହେଲେ ଯେତେବେଳେ ନିଜ ପିଲାଟିକୁ ବଡ଼ କରି ତାକୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ କରି ଦିଏ ତା’ପରେ ଆରମ୍ଭ ହୋଇଯାଏ ସେ ମା’ର ଯନ୍ତ୍ରଣାର କାହାଣୀ । ଏଭଳି କିଛି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ସହରର ଇନ୍ଦ୍ରାନଗର ଅଞ୍ଚଳରେ ।

ସୂଚନା ମୁତାବକ ରାୟଗଡ଼ା ସହର ଇନ୍ଦ୍ରାନଗର ଅଞ୍ଚଳରେ ରହୁଥିବା ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏସ.ତାବିଟେୟା ୯୦ ବର୍ଷୀୟ ମା’ଙ୍କୁ ଦେଖି କବାଟ କିଳିଦେଲେ । ପରେ କବାଟ ମୁହଁ ଦାଣ୍ଡରେ ବସି ନିଜ ବେଦନାକୁ ବଖାଣିଛନ୍ତି ଅସହାୟ ମା’ ଜଣକ । ବୟଷ୍କ ମହିଳା ଜଣକ କହିବା ମୁତାବକ ପେଟ କାଟି ଲାଳନ ପାଳନ କରି ଦୁଇ ପୁଅକୁ ବଡ଼ କରିଥିଲି । ଆଶା ଥିଲା ବଡ଼ ମଣିଷ ହୋଇ ବୁଢ଼ା କାଳରେ ମୋ ଆସରା ପାଲଟିବେ । କିନ୍ତୁ ମୋ ଆଶା ଆଶାରେ ରହିଗଲା ବୋଲି କହି ବାହୁନି ବାହୁନି କାନ୍ଦି ପକାଇଲେ ମହିଳା ।

ରାୟଗଡ଼ା ଜିଲ୍ଲାର ଗୁଡ଼ିଆବନ୍ଧ ଗାଁର କ୍ରୀଷ୍ଣାବେଣୀ ସ୍ୱାମୀଙ୍କ ଦେହାନ୍ତ ପରେ ନିଜ ଗାଁରେ ରହି ଆସୁଥିଲେ । ତାଙ୍କ ବଡ଼ ପୁଅ ଏସ.ତାବିଟେୟା ରାୟଗଡ଼ା ସହର ଇନ୍ଦ୍ରାନଗର ଅଞ୍ଚଳରେ ରହୁଛନ୍ତି । କ୍ରୀଷ୍ଣାବେଣୀଙ୍କ ସାନ ପୁଅ କହିବା ମୁତାବକ ଗୋଟିଏ ହେଟେଲରେ କାମ କରି ମାତ୍ର ପାଞ୍ଚ ହଜାର ଟଙ୍କାରେ ନିଜର ୫ ପ୍ରାଣୀ ପରିବାରକୁ ଚଳାଇ ଆସୁଥିଲେ । କିଛି ମାସ ପୂର୍ବେ ତାଙ୍କ ସାନ ପୁଅ ମା’ର ବୃଦ୍ଧାବସ୍ଥା ଦେଖି ଗାଁରୁ ଆଣି ସହରରେ ନିଜ ନିକଟରେ ରଖିଥିଲେ । ପରେ ତାଙ୍କ ବଡ଼ ପୁଅ ନିକଟକୁ ଯିବା ପାଇଁ ଜିଦ୍ କରି ଅଟୋରେ ବସି ବଡ଼ ପୁଅ ଘରେ ପହଁଚିଥିଲେ ମା’ । ସାନ ପୁଅ ସାଥୀରେ ଥିଲେ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ଅପଡ଼ ଯୋଗୁଁ ବଡ଼ ଭାଇ ଘରଠି ଛାଡ଼ି ଦେଇ ଚାଲି ଆସିଥିଲେ ।

ତେବେ ବଡ଼ ପୁଅ ଘର ମୁଖ୍ୟ ଫାଟକକୁ ବାରମ୍ବାର ବାଡେଇଥିଲେ । କିଛି ସମୟପରେ ବଡ଼ ପୁଅ ଆସି କବାଟ ଖୋଲିବା ବଦଳରେ ମା’କୁ ଦେଖି ପୁଣି କବାଟ ବନ୍ଦ କରି ଚାଲିଗଲା । ଏହାପରେ ବୃଦ୍ଧା ମା’ ଜଣକ ଡାକି ଡାକି ଖରାରେ ଥକି ପଡ଼ି କବାଟ ଆଗରେ ଶୋଇପଡିଥିଲେ । ପରେ ସ୍ଥାନୀୟ ବାସିନ୍ଦା ପୁଲିସକୁ ସୂଚନା ଦେବାପରେ ବୃଦ୍ଧା ଜଣକ ଉଦ୍ଧାର ହୋଇଥିଲେ । ସୂଚନା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତି ଭାଗ ହେବା ସହ ମା’ର ଲାଳନ ପାଳନ ନେଇ ଦୁଇ ଜଣଙ୍କ ମଧ୍ୟରେ ଭାଗବଣ୍ଟା ହୋଇଛି । ଏପରିକି ଉଭୟ ପୁଅ ୬ ମାସ ଲେଖାଏଁ ମା’କୁ ନିଜ ପାଖରେ ରଖିବାକୁ କାଗଜ ପତ୍ରରେ ଚୁକ୍ତିନାମା କରାଯାଇଥିଲା । ହେଲେ ମା’ର ବଡ଼ ପୁଅ ପାଖରେ ରହିବାକୁ ଇଚ୍ଛା ହେଲା ପରେ ମଧ୍ୟ ବଡ଼ ପୁଅ ତାକୁ ଦେଖି କବାଟ କିଳିଦେଇ ଚାଲିଗଲା । ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ଅବହେଳାକୁ ନେଇ ବିଭିନ୍ନ ଆଇନ ରହିଛି କିନ୍ତୁ ସମସ୍ୟାର ସମାଧାନରେ ସୁଧାର ଆସିପାରିନାହିଁ ।