ବଳ ନଥିବା ବୟସ୍କ କାନ୍ଧରେ ୩୨ ବର୍ଷିୟ ପୁଅର ବୋଝ । ଭତ୍ତା ମିଳୁନି କି ଭୋକ ମରୁନି… ପରିଣତ ବୟସରେ ପୁଅର ଭାର ବୋହି ଦୁଃଖରେ ବିତୁଛି ଦିନ…

ଦେହରେ ବଳ ନାହିଁ କି କମରରେ ଜୁ ନାହିଁ, ତଥାପି କଷ୍ଟେମଷ୍ଟେ ସେହି ନିସ୍ତେଜିଆ କମରରେ ଜାଳେଣି ବୋହି ନେବାକୁ ପଡୁଛି । କାରଣ ଜାଲେଣି ନନେଲେ ଚୁଲି ଜଳିବନି ଆଉ ଚୁଲି ନଜଳିଲେ ଜୀବନ ବଞ୍ଚିବନି । ପୁଅ ଭଲ ଥିଲେ ବୁଢୀ ମାଆର ଦୁଃଖ ବୁଝିଥାନ୍ତା ହେଲେ ପୁଅ ତ ଦିବ୍ୟାଙ୍ଗ । ତେଣୁ ବାଧ୍ୟ ହୋଇ ମଲା କମରରେ ଲୁଗାକାନି ଖଓସି, ଆଖିର ଲୁହରୁ ଆଖିରେ ମାରି ବଞ୍ଚି ରହିବାକୁ ଯୁଦ୍ଧ କରନ୍ତି ନେତ୍ରମଣୀ ।

267

କନକ ବ୍ୟୁରୋ: ପରିଣତ ବୟସରେ କିଏ ହେବ ସାହା? ଭୋକିଲା ପେଟରେ କିଏ ଦେବ ଦାନା ? ଆଉ ବୟସର ଅପରାହ୍ମରେ କିଏ ସାଜିବ ଆଶାବାଡି ? ଯାହା ଉପରେ ଜୀବନର ସବୁତକ ଆଶା ଥିଲା ସେ ଆଜି ବିଛଣାରେ ପଡିଛି… ଶ୍ରବଣ କୁମାର ଭଳି ବୁଢା ବାପାମାଆଙ୍କୁ ବୋହି ଯିଏ ଦୁନିଆ ବୁଲାଇଥାନ୍ତା ଆଜି ସିଏ ମାଟିରେ ଶୋଇଛି… ବଳ ନଥିବା ବୟସ୍କ କାନ୍ଧରେ ଦୀର୍ଘ ୩୨ ବର୍ଷ ହେବ ନାଉ ହୋଇ ବୁଲୁଛି…

ପିଲା ଦିନୁ ପୋଲିଓ ହୋଇଥିବାରୁ ପୁଅର ସେବା ଶୁଶ୍ରୁଷା କରିଆସୁଛନ୍ତି କଟକ ୩୩ ନଂ ୱାର୍ଡ ଥୋରିଆସାହିର ବୃଦ୍ଧ ବାପାମାଆ ବୈଷ୍ଣବ ସାହୁ ଓ ନେତ୍ରମଣୀ ସାହୁ । ବୈଷ୍ଣବକୁ ୭୦ ଟପିଲାଣି ଆଉ ନେତ୍ରମଣୀଙ୍କୁ ୬୫ ପାଖାପାଖି । ଦେହରେ ବଳ ନାହିଁ କି କମରରେ ଜୁ ନାହିଁ, ତଥାପି କଷ୍ଟେମଷ୍ଟେ ସେହି ନିସ୍ତେଜିଆ କମରରେ ଜାଳେଣି ବୋହି ନେବାକୁ ପଡୁଛି । କାରଣ ଜାଲେଣି ନନେଲେ ଚୁଲି ଜଳିବନି ଆଉ ଚୁଲି ନଜଳିଲେ ଜୀବନ ବଞ୍ଚିବନି । ପୁଅ ଭଲ ଥିଲେ ବୁଢୀ ମାଆର ଦୁଃଖ ବୁଝିଥାନ୍ତା ହେଲେ ପୁଅ ତ ଦିବ୍ୟାଙ୍ଗ । ତେଣୁ ବାଧ୍ୟ ହୋଇ ମଲା କମରରେ ଲୁଗାକାନି ଖଓସି, ଆଖିର ଲୁହରୁ ଆଖିରେ ମାରି ବଞ୍ଚି ରହିବାକୁ ଯୁଦ୍ଧ କରନ୍ତି ନେତ୍ରମଣୀ ।

ଖାଲି ମାଆ ନୁହେଁ ବାପା ମଧ୍ୟ ୩୨ ବର୍ଷିୟ ପୁଅ ରବୀନ୍ଦ୍ରର ଅସହାୟତା ଦେଖି ପେଟ ପୋଷିବାକୁ ଘରୁ ଗୋଡ କାଢନ୍ତି । ଭବିଷ୍ୟତ ଅନ୍ଧାର ଜାଣି ବି ବର୍ତ୍ତମାନରେ ବଞ୍ଚି ରହିବାକୁ ମୁଲ ଲାଗି ଦି ପଇସା ରୋଜଗାର କରନ୍ତି । ହେଲେ କିଛି ଦିନ ତଳେ ସାଇକେଲରୁ ପଡି ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଘରେ ରହିଛନ୍ତି ବୈଷ୍ଣବ ।
ତେବେ ୩୨ ବର୍ଷ ହେବ ପୁଅର ଏ ପରିସ୍ଥିତିରେ କେବେ ବିରକ୍ତ ହୋଇ ନାହାନ୍ତି ବାପାମାଆ । ରାଗି ନାହାନ୍ତି କି ନିଜ ଭାଗ୍ୟକୁ ନିନ୍ଦି ନାହାନ୍ତି । ବରଂ ଗାଧୁଆ ପାଧୁଆଠୁ ଆରମ୍ଭ କରି ସବୁ କାମ କରିଛନ୍ତି । କାରଣ ସେମାନେ ପରା ବାପାମାଆ, ପୁଅକୁ ଫିଙ୍ଗିଦେବେ କେମିତି…

ସେପଟେ ରବୀନ୍ଦ୍ର ଦିବ୍ୟାଙ୍ଗ ହୋଇଥିଲେ ବି ତାଙ୍କ ଆଧାର କି ରାସନ କାର୍ଡ ନଥିବାରୁ ତାଙ୍କୁ ଭତ୍ତ ମିଳୁନି । ପୁଅକୁ ଭତ୍ତ ମିଳିଲେ ହୁଏତ ସେହି ଟଙ୍କାରେ ୩ ପ୍ରାଣୀ ଦୁଃଖକଷ୍ଟରେ ବଞ୍ଚି ଯାଆନ୍ତେ ହେଲେ ସେତକ ମିଳୁନଥିବାରୁ ଲୋକେ ଯାହା ଦେଉଛନ୍ତି ତାକୁ ଖାଇ ଜୀବନ ବଞ୍ଚୁଛନ୍ତି ରୁପାର ସହରେ ରହୁଥିବା ଦୁଃଖର ମଣିଷ…