କନକ ବ୍ୟୁରୋ : ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ କାହାଣୀ ହେଉଛି, କେନ୍ଦ୍ରାପଡା ଜିଲ୍ଲା ଚରିଗାଁ ପଂଚାୟତର ନିରାକାର କାଣ୍ଡିଙ୍କର । ରାଜ୍ୟ ବାହାରେ କମ୍ପାନୀରେ କାମଧନ୍ଦା କରି ପରିବାର ପୋଶୁଥିଲେ । ହେଲେ ହଠାତ୍ ତାଙ୍କ ଜୀବନ ଆକାଶରେ ଘୋଟିଆସିଲା ଘନ ଅନ୍ଧାର । ଶରୀର ଅସୁସ୍ଥ ହେବାରୁ ନିରାକାର ଘରକୁ ଚାଲି ଆସିଲେ । ଦିନକୁ ଦିନ ଯନ୍ତ୍ରଣା ବଢିଲା, ଡାକ୍ତରଖାନାକୁ ଯିବାରୁ ଜଣାପଡିଲା, ସେ ଆଙ୍କୋଲୋଟି ସ୍ପଂଡିଲାଇଟ ରୋଗରେ ପୀଡିତ । ବାସ୍ ତା’ପରେ ଏମିତି ବିଛଣାରେ କଟୁଛି ନିରାକାରଙ୍କ ଜୀବନ ।
ଘରର ରୋଜଗାରିଆ ବ୍ୟକ୍ତି ବିଚ୍ଛାଣାରେ ପଡିଥିବା ବେଳେ ପିଲାଛୁଆ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିିତିରେ ସ୍ୱାମୀଙ୍କୁ କଟକ-ଭୁବନେଶ୍ୱରର ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସମ୍ଭବ ହେଉନାହିଁ । ନିରାକାରଙ୍କ ସ୍ତ୍ରୀ ନିରୁପମା ଗାଁରେ ପଲା ବାନ୍ଧି ଦୋକାନଟିଏ କରିଛନ୍ତି । ସେଥିରୁ ଦିନରୁ ୨୦ରୁ ୩୦ ଟଙ୍କା ରୋଜଗାରରେ ଘର ଚଳୁଥିବା ବେଳେ ପିଲାଙ୍କ ପାଠପଢା, ଦେହ ପା’ ଓ ପର୍ବ ପର୍ବାଣୀ କେବଳ ସ୍ୱପ୍ନ ।
ଦୁଃଖି ପରିବାରର ଏଭଳି ସ୍ଥିତିରେ ସହଯୋଗର ହାତ ବଢାଇବା ପାଇଁ ଉଭୟ ସରକାର ଓ ସହହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି ନିରାକାର ଓ ନିରୁପମା ।