କନକ ବ୍ୟୁରୋ: ଏ ହେଉଛି ଜଣେ ଅସହାୟ ଦୁଃଖୀ ମା’ର କୋହଭରା କେଇପଦ କଥା । ଯାହା ସମସ୍ତଙ୍କ ଆଖିକୁ ଓଦା କରିଦେବାକୁ ଯଥେଷ୍ଟ । ନିଜ ଜନ୍ମକଲା ପୁଅ ଠାରୁ ମାଡ ଗାଳି ଖାଇ ବେସାହାରା ହୋଇଯିବା ପରେ ଥର ଥର କଣ୍ଠରେ ମା’ କହୁଛି ନିଜ ଯନ୍ତ୍ରଣାର କଥା । ପୁଅ ଏତେ କଷ୍ଟ ଦେଇଛି ଯେ ସେକଥା କହିବାକୁ ଧର୍ଯ୍ୟ ରହୁନି । ଏକଥା ଶୁଣିବା ପରେ ମନରେ ପ୍ରଶ୍ନ ପୁଅ ଜନ୍ମ କରି ଏ ମା’ କ’ଣ ଭୁଲ କରିଛି?

Advertisment

ଅସହାୟ ଦେଖାଯାଉଥିବା ଏ ବୃଦ୍ଧା ଜଣକ କେବଳ ଜଣେ ମା’ ନୁହଁନ୍ତି । ଦିନ ଥିଲା ଲୋକଙ୍କୁ ନ୍ୟାୟ , ସୁରକ୍ଷା ଦେଉଥିଲେ ହେଲେ ଆଜି ସେ ନିଜେ ଅସୁରକ୍ଷିତ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ । ପାରାଦୀପ ଥାନାରେ ହୋମଗାର୍ଡ ଭାବେ ଚାକିରି କରୁଥିଲେ ଏହି ବୃଦ୍ଧା ସଞ୍ଜୁ ମଲ୍ଲିକ । ବଡ ବାବୁଙ୍କ ଆଦେଶ ମିଳିବା ମାତ୍ରେ ଚାରିଆଡେ ଖେଦିଯାଉଥିଲେ । ଲୋକଙ୍କୁ ସୁରକ୍ଷା ଦେଉଥିଲେ । ଘର ପରିବାର ଚଳାଉଥିଲେ । ପିଲାମାନଙ୍କ ସବୁ ଅଳିଅର୍ଦ୍ଦଳି ଭଲ ଭାବ ପୂରଣ କରୁଥିଲେ । ହେଲେ ଆଜି ସେ ସମସ୍ତଙ୍କ ପାଇଁ ପୁରା ଅଲୋଡା । ବୟସ ବଢିବା ସାଙ୍ଗକୁ ଚାକିରୀରୁ ଅବସର ନେଇଯିବା ପରେ ପୁଅ ମାନଙ୍କ ପାଇଁ ସେ ବୋଝ ପାଲଟିଯାଇଛନ୍ତି । କଷ୍ଟ ସହି ବଡ କରିଥିବା ଦି ପୁଅ ଆଜି ତାଙ୍କୁ ଆଡ ଆଖିରେ ଚାହୁଁନାହାଁନ୍ତି । ବାହାଘର ପରେ ମା’ ଯେମିତି ସେମାନଙ୍କ ପାଇଁ ସାତ ଶତ୍ରୁ ପାଲଟିଯାଇଛି । ଦି ଓଳି ଦି ମୁଠା ଖାଇବାକୁ ଦେବା ତ ଦୂରର କଥା, ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କୁ ମାରପିଟ କରି ଘରୁ ତଡି ଦେଇଛନ୍ତି ।

ପୁଅ ବୋହୂ ଘରୁ ତଡିଦେବା ପରେ ଅତି ଅସହାୟ ଅବସ୍ଥାରେ ପାରାଦୀପ ସହରର ଗଳିକନ୍ଦିରେ ବୁଲି ବୁଲି ଭିକ ମାଗୁଥିଲେ ବୃଦ୍ଧା ସଞ୍ଜୁ । ତାଙ୍କୁ ପାଇଥିଲେ କିଛି ସମାଜସେବୀ । ଉଦ୍ଧାର କରି ଜରାଶ୍ରମରେ ପହଞ୍ଚାଇଥିଲେ ବି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବାରୁ ତାଙ୍କୁ ନ୍ୟାୟ ପାଇଁ ପୁଲିସର ଦ୍ୱାରସ୍ଥ ହୋଇଛି । ଏହାଦ୍ୱାରା ତାଙ୍କୁ ନ୍ୟାୟ ମିଳିବା ସହ ଆଇନଗତ ଭାବେ ଥଇଥାନ କରାଯାଇପାରିବ ।

କେବଳ ବୃଦ୍ଧା ସଞ୍ଜୁ ନୁହଁନ୍ତି ବରଂ ଆମର ତଥାକଥିତ ଶିକ୍ଷିତ ସମାଜର ଅନେକ ସ୍ଥାନରେ ବୁଢା ବାପା, ମା’ଙ୍କୁ ନିଜ ପିଲାମାନେ ନିର୍ଯାତନା ଦେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି, ଯାହା ଏକ ସାମାଜିକ ଅବକ୍ଷୟର ସୂଚନା । ଏପରି ସ୍ଥଳେ ଅଭିଯୁକ୍ତକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଇ ନିର୍ଯାତିତଙ୍କୁ ନ୍ୟାୟ ଦେବା ନିତାନ୍ତ ଜରୁରୀ ହୋଇପଡିଛି ।