କନକ ବ୍ୟୁରୋ: ଏ କେମିତିକା ଜୀବନ? ନା ବଞ୍ଚିପାରୁଛି ନା ମରିପାରୁଛି । ମଝିରେ ଜୀବନଟା ଖାଲି ଯାହା ହନ୍ତସନ୍ତ ହେଉଛି । ମା’ ହୋଇ ଦୁଃଖ ସହିପାରୁନି । ଯେଉଁଠି ବସୁଛି ଆଖିରୁ ଧାର ଧାର ଲୁହ ଝରଉଛି । ହସ ଯେମିତି ତା’ ମୁହଁରୁ ହସ ଟିକକ କୁଆଡେ ହଯିଯାଇଛି । ଯୁଆଡେ ଗଲେ ପିଲା ଦିଟାଙ୍କ ଚିନ୍ତା । ଆମେ କହୁଛୁ ପାରାଦୀପ ନୂଆଗଡ ପଞ୍ଚାୟତ ଭୀମାନାସୀ ଗାଁର ବାସିନ୍ଦା ତାପସୀ ମାଇତିଙ୍କ କଥା

Advertisment

ପିଲାଟିଏ ଘରକୁ ଆସିଲେ ସମସ୍ତଙ୍କ ମନରେ ଖୁସି ଭରିଯାଏ । ବିଶେଷ କରି ବାପା, ମା’ଙ୍କ ମନ କୁଣ୍ଢେମୋଟ ହୋଇଯାଏ । ହେଲେ ଏଠି ଭାଗ୍ୟ କିନ୍ତୁ ବିପରୀତ । ଭଗବାନ୍ କୋଳକୁ ପିଲାଟିଏ ସିନା ଦେଲେ, ହେଲେ ତା ସହିତ ଅସରନ୍ତି ଦୁଃଖ ଦେଲେ । ଶଙ୍କର ଓ ତାପସୀଙ୍କର ପଥମେ ଝିଅଟିଏ ହେଲା । ଝିଅ ଜନ୍ମରୁ ଠିକ ଥିଲା । ହେଲେ ୬ ମାସ ବେଳକୁ ତାକୁ ବାତ ରୋଗ ଧରିଲା ଯେ, ପୁରା ଅଚଳ କରିଦେଲା । ତଥାପି ଆଣ୍ଟ ବାନ୍ଧି ଝିଅକୁ ଡାକ୍ତର ଦେଖାଇଲେ । ହେଲେ ସେମିତି କିଛି ସୁଫଳ ମିଳିଲା ନାହିଁ । ଭାବିଲେ ଦ୍ୱିତୀୟ ପିଲାଟିଏ ହେଲେ ତା’ ମୁହଁକୁ ଚାହିଁ ଏ ଦୁଃଖ ଲାଘବ ହେବ । ହେଲେ ସେ ଆଶା ବି କୁଆଡେ ମିଳେଇଗଲା । ପୁଅଟିଏ ଜନ୍ମ ହେଲା ସତ ହେଲେ ପିଲାଟିବେଳୁ ସେ ବି ଅଚଳ । ଡାକ୍ତରଙ୍କ କହିବା ଅନୁସାରେ ତାକୁ ଶିଶୁ ଭବନରେ ରଖି ଚିକିତ୍ସା କରାଗଲା । ହେଲେ ଆଉ କେତେ ଦିନ ରହିଥାନ୍ତେ । ପିଲାଙ୍କ ପାଇଁ ପାଖରେ ଯାହା ତ ଥିଲା ସବୁ ସରିଲା । ହାତ ଉଧାରି କରିଥିବା ପଇସା ତକ ବି ଖର୍ଚ୍ଚ ହୋଇଗଲା । ମୂଲ ଲାଗିଲେ ତ ଆଗକୁ ବଞ୍ଚିବେ । ତେଣୁ ବାଧ୍ୟ ହାଇ ପୁଅକୁ ଧରି ଘରକୁ ଆସିଲେ ଶଙ୍କର ଓ ତାପସୀ । ଏବେ ଘରେ ଦୁଇ ଦୁଇଟା ଦିବ୍ୟାଙ୍ଗ ପିଲାଙ୍କୁ ଧରି ଭାଗ୍ୟକୁ ଆଦରି ପଡିରହିଛନ୍ତି ଅସହାୟ ବାପା, ମା’

ଏ ଦୃଶ୍ୟ ଯିଏ ବି ଦେଖିବ ତାହା ଆଖି ଓଦା ହୋଇଯିବ । ସହଜେ ଇଏ ବାପା, ମା’ । ହସିଖେଳି ବୁଲୁଥିବା ପିଲାମାନଙ୍କ ଆଗରେ ନିଜ ପିଲାଙ୍କୁ ଏଭଳି ପଡିରହିଥିବା ଦେଖି ଅହରହ ଏମାନଙ୍କ ଆଖିରୁ ଝରୁଛି ଲୁହ । ସବୁ ଶେଷ ହୋଇଗଲା ପରେ ଅନ୍ତତଃ ପିଲା ଦିଟାଙ୍କୁ ଟିକେ ଚିକିତ୍ସା କରିବାକୁ, ସେମାନଙ୍କ ପେଟକୁ ଦାନା ଟିକେ ଦେବାକୁ ସରକାରୀ ସାହାଯ୍ୟ ପାଇଁ ହାରି ଗୁହାରୀ ହୋଇଛନ୍ତି । ଶଙ୍କର ଓ ତାପସିଙ୍କ ଦୁଃଖ ଜାଣିବା ପରେ ଏକ ସମାଜସେବୀ ସଙ୍ଗଠନ ସେମାନଙ୍କୁ ସହାୟତାର ହାତ ବଢାଇଛି । ହେଲେ ସରକାରୀ ସାହାଯ୍ୟ ଟିକେକୁ ଚାହିଁରହିଛନ୍ତି ଦୁଇ ଅସହାୟ ବାପା, ମା’

ବିଶ୍ୱାସ ଗଣମାଧ୍ୟମରେ ଏ ଖବର ଦେଖିବା ପରେ ପ୍ରଶାସନ ଏହି ଗରୀବ ପରିବାରର ଦୁଃଖ ନିଶ୍ଚୟ ବୁଝିବେ ଏବଂ ସେମାନଙ୍କୁ ଦୁଇ ପିଲାଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବେ ।