୧୯ମାସର ଶିଶୁ ରାଜବୀରକୁ ବଞ୍ଚିବା ପାଇଁ ଆବଶ୍ୟକ ୧୬କୋଟିର ଇଞ୍ଜେକସନ । ଆର୍ଥିକ ସହାୟତା ପାଇଁ ନବୀନ ନିବାସ ସାମ୍ନାରେ ପରିବାର ଲୋକଙ୍କ ଧାରଣା ।

169

କନକ ବ୍ୟୁରୋ : ଜୀବନ ମୃତ୍ୟୁ ଭିତରେ ୪ମାସର ଅନ୍ତର । ଏସଏମଏ ରୋଗରେ ପୀଡିତ ୧୯ମାସର ଶିଶୁ ରାଜବୀରକୁ ବଞ୍ଚିବା ପାଇଁ ଆବଶ୍ୟକ ୧୬କୋଟିର ଇଞ୍ଜେକସନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜବୀରଙ୍କ ପରିବାର । ନବୀନ ନିବାସ ଆଗରେ ଧାରଣା ବି ଦେଇଥିଲେ, ଯାହାକୁ ହଟାଇବା ପାଇଁ ପୋଲିସ ନାକେଦମ ହୋଇଥିଲା । ପରେ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର ଆସି ତାଙ୍କୁ ବୁଝାସୁଝା କରିବା ପରେ ରାଜବୀରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଅର ଜୀବନ ବଞ୍ଚାଇଦେବା ପାଇଁ ମା’ ଆଖିରୁ ଲୁହ ଶୁଖୁନି । କୋଳରେ ରୋଗୀଣା ପୁଅକୁ ଧରି ତା’ ଜୀବନ ବଞ୍ଚାଇବା ପାଇଁ ମାଆ କରୁଛି ଗୁହାରି । ହାତ ଯୋଡି ନବୀନ ନିବାସ ଆଗରେ କାକୁତି ମିନତି ହେଉଛି ମାଆ । କଅଁଳା ପୁଅ ରାଜବୀରକୁ ବଞ୍ଚାଇଦେବା ପାଇଁ ନବୀନ ନିବାସ ପହଞ୍ଚିଥିଲା ରାଜବୀରଙ୍କ ପରିବାର । ହାତରେ ଜଗନ୍ନାଥଙ୍କ ମୂର୍ତି, ଭଗବତ ଗୀତା ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଧରି ନବୀନ ନିବାସ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ବସି ପଡିଥିଲେ ପରିବାରଲୋକ । ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜବୀରର ନୂଆ ଜୀବନ ପାଇଯିବ ବୋଲି ଆଶା ରଖିଛନ୍ତି ରାଜବୀରଙ୍କ ବାପା ମା ।

ନବୀନ ନିବାସ ପାଖରେ ଧାରଣାରେ ବସି ରହିବା ପୋଲିସ ପ୍ରଶାସନ ପାଇଁ ଚିନ୍ତା ବଢାଇଦେଇଥିଲା । ଥାନା ଆଇଆଇସି, ଏସିପି, ଓ ଡିସିପି ବି ଆସି ବୁଝାଇଲେ, ପୋଲିସ ବାବୁଙ୍କୁ ନାକେଦମ ହେବାକୁ ପଡିଲା । ପାଖାପାଖି ଅଢେଇ ଘଂଟା ଏମିତି ବସି ରହିଥିଲେ ରାଜବୀରଙ୍କ ବାପା ମା’ । ଶେଷରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଆସି ବୁଝାସୁଝା କରିବା ପରେ ରାଜବୀରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ଫୁଲବାଣୀର ୧୯ ମାସର ଶିଶୁ ରାଜବୀର ଏସଏମଓ ବା ସ୍ପାଇନଲ ମସକୁଲାର ଆଟ୍ରୋଫି ରୋଗରେ ପୀଡିତ ଅଛି । ଏହି କଅଁଳ ବୟସରେ ପ୍ରତି ମୁହୂର୍ତରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଜନ୍ମ ଓ ମୃତ୍ୟୁ ଭିତରେ ରହିଛି ମାତ୍ର ୩ରୁ ୪ ମାସର ସମୟ । ଏହି ସମୟ ଭିତରେ ଜୋଲଗେନ୍ସମା ଇଂଜେକ୍ସନ ନଦେଲେ ରାଜବୀର ଜୀବନ ହରାଇଦେବ ବୋଲି କହିଛନ୍ତି ଡାକ୍ତର । ତେବେ ଏହି ଇଂଜେକ୍ସନର ଦାମ ୧୬ କୋଟି ଟଙ୍କା । ବିଭିନ୍ନ କ୍ରାଉଡ ଫଣ୍ଡିଂ ସଂସ୍ଥା ତଥା ବ୍ୟକ୍ତିଗତ ସ୍ତରରେ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ଭଳି । ରାଜ୍ୟ ସରକାର ଚାହିଁଲେ ପୁଅ ବଞ୍ଚିଯିବ ବୋଲି ପରିବାର ଲୋକ ଆଶା ରଖିଛନ୍ତି ।