ଆର୍ତ୍ତତ୍ରାଣଙ୍କ ଆତୁର ନିବେଦନ: ସରକାର ମତେ ସାହାଯ୍ୟ କର…

850

କନକ ବ୍ୟୁରୋ: ଆର୍ତ୍ତତ୍ରାଣଙ୍କ ଆଖିରେ ଆଖିଏ ଲୁହ । ଛାତିରେ ଛାତିଏ କୋହ । ନିଜ ହସଖୁସିର ପରିବାରକୁ ହଇରାଣ ହେଉଥିବା ଦେଖି ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି ଆର୍ତ୍ତତ୍ରାଣ । ଦିନ ଥିଲା ତାଙ୍କ ରୋଜଗାରରେ ସାରା ପରିବାରଟା ଦୁଃଖ କଷ୍ଟରେ ଚଳି ଯାଉଥିଲା । ପାଠ ପଢାଇ ଯାହା କିଛି ଘରକୁ ଆଣୁଥିଲେ ସେତିକିରେ ପୂରା ପରିବାରର ପେଟ ପୂରି ଯାଉଥିଲା । ହେଲେ ଏବେ, ସବୁକିଛି ଓଲଟି ଯାଇଛି । ହସଖୁସିର ପରିବାରରୁ ହସ ହଜିଯାଇଛି , ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି…

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଚାନ୍ଦଗଡ ଗାଁର ଆର୍ତ୍ତତ୍ରାଣ ମଲ୍ଲ୍ିକଙ୍କୁ ଅସାଧ୍ୟ ରୋଗ ହେବା ପରେ ଏତେ ତାଙ୍କ ପରିବାରରେ ଦୁଃଖ କୁଣିଆ ହୋଇ ରହିଛି । ପ୍ରାୟ ବର୍ଷେ ହେଲା ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାଙ୍କ ମୁହଁ ଫୁଲିବା ଆରମ୍ଭ ହୋଇଛିା । ଆର୍ତ୍ତତ୍ରାଣଙ୍କ ଏଭଳି ପରିବର୍ତ୍ତନ ଦେଖି ତାଙ୍କୁ ପ୍ରଥମେ ଏସସିବିରେ ଚିକିତ୍ସା କରା ଯାଇଥିଲା । ଆଉ ସେଇଠି ଜଣାପଡିଥିଲା ତାଙ୍କୁ ମାସ୍ଥାନିଆ ଗ୍ରାଭିସ ଭଳି ମାରାତ୍ମକ ରୋଗ ଗ୍ରାସିଛି ।

ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମସକୁ ପଠାଯାଇଥିଲା । ଦିଲ୍ଲୀରେ ରହି ଚିକିତ୍ସା କରାଇବା ଆର୍ତ୍ତଙ୍କ ପକ୍ଷେ ସମ୍ଭବ ନଥିବାରୁ ଘରେ ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଦିଲ୍ଲୀ ଯାଇଥିଲେ । ଘରୋଇ କଲେଜରେ ପଢାଇ, ଟ୍ୟୁସନ କରି ଯାହା କିଛି ରଖିଥିଲେ ତାହା ନିଜ ଚିକିତ୍ସାରେ ଚାଲିଗଲା । ସାଙ୍ଗସାଥୀ, ସମ୍ପର୍କୀୟ, ପଡୋଶୀଙ୍କ ଠାରୁ ଧାରଉଧାର କରି ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ମାସକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆର୍ତ୍ତଙ୍କ ଏଭଳି ଅବସ୍ଥା ଦେଖି ଜିଲ୍ଲା ପ୍ରଶାସନ ୨୦ ହଜାର ଟଙ୍କା ସହାୟତା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଛନ୍ତି ।

ସେପଟେ ନିଜ ପରିବାର ଭବିଷ୍ୟତ କଥା ଭାବି ଭାଙ୍ଗି ପଡିଛନ୍ତି ନିଜେ ଆର୍ତ୍ତତ୍ରାଣ ଆଉ ତାଙ୍କ ପତ୍ନୀ ସୁଜାତା । ଘରେ ଦୁଇ ଦୁଇଟି ପାଠପଢା ଝିଅ ଅଛନ୍ତି । ସେମାନେ କଣ କରିବେ ? ସେମାନଙ୍କ ଭବିଷ୍ୟତ କଣ ହେବ ଏସବୁ କଥା ବାପାମାଆଙ୍କୁ ବିଚଳିତ କରିଥିବା ବେଳେ ପଛରେ ଛିଡା ହୋଇ ବାପାଙ୍କୁ ସାହସ ଦେଇଛନ୍ତି ଆର୍ତ୍ତତ୍ରାଣଙ୍କ ସାନ ଝିଅ । ବାପା ଖୁବ ଶୀଘ୍ର ଭଲ ହୋଇ ଯାଆନ୍ତୁ ଆଉ ସେମାନଙ୍କ ସହ ସ୍ୱାଭାବିକ ଜୀବନ ଜିଅନ୍ତୁ ଏଇ ଗୋଟିଏ ଗୁହାରୀ ଠାକୁରଙ୍କୁ କରୁଛନ୍ତି ତାଙ୍କ ଦୁଇ ଗେହ୍ଲା ଝିଅ…