କନକ ବ୍ୟୁରୋ: ‘ମହାପ୍ରଭୁ! ତୁମର ହାତ ନଥାଇ ତୁମେ ମହାବାହୁ । ହେଲେ ମୋର ହାତ ନାହିଁ ବୋଲି ମୁଁ ଦିବ୍ୟାଙ୍ଗ । ତୁମେ ଜଗନ୍ନାଥ, ମୁଁ ଛାର ଜଗନ୍ । ଏଥିପାଇଁ ମୋ ମନରେ ଦୁଃଖ ନାହିଁ । ତୁମ ଆଗରେ ନୁଆଁଇବାକୁ ମୁଣ୍ଡ ତ ଅଛି । ତୁମ ପାଖକୁ ଚାଲିଯିବାକୁ ପାଦ ତ ଦେଇଛ । ପ୍ରଭୁ ସେତିକିରେ ତୁମ ସେବା କରିବାକୁ ମୁଁ ସମର୍ଥ’ ।

Advertisment

ଏ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଡିଆଁକୁଦା ଗାଁର ଦିବ୍ୟାଙ୍ଗ ଜଗନର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାର୍ମିକ ନିବେଦନ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦିନ ଜନ୍ମ ବୋଲି ବାପା, ମା’ ନାଁ ଦେଲେ ଜଗନ୍ । ପୁଅର କୁଆଁ କୁଆଁ କାନ୍ଦରେ ଘର ଅଗଣା ଫାଟିପଡିଲା ବେଳେ ପୁଅକୁ ଦେଖି ଫିକା ପଡିଯାଇଥିଲା ମା’ର ମନ । ପୁଅର ଦୁଇ ଆହତ ନଥିବା ଦେଖି ସମସ୍ତଙ୍କ ମନ ଫିକା ପଡିଯାଇଥିଲା ।

ତଥାପି ବାପା, ମା’ ମନକୁ ପଥର କରି ପୁଅକୁ ସମର୍ଥ କରିବାକୁ ଆଣ୍ଟ ବାନ୍ଧିଲେ । ହେଲେ ସେଥିରେ ଦଇବ ବାଧା ଦେଲା । କ୍ୟାନ୍ସରରେ ପୀଡିିତ ହୋଇ ବାପା ଆରପାରିକୁ ଚାଲିଗଲେ । ଦାଦା, ଖୁଡିଙ୍କ ପାଖରେ ବଢିଲା ଜଗନ୍ । ବଡ ହେବା ସାଙ୍ଗକୁ ନିଜକୁ ଆତ୍ମନିର୍ଭର କରିବାକୁ ସତଚେଷ୍ଟା କଲା ଜଗନ୍ ।

ମହାପ୍ରଭୁଙ୍କ ଆଗରେ ମୁଣ୍ଡ ନୁଆଁଇ ଆରମ୍ଭ ହୁଏ ଜଗନର ସକାଳ । ଦୁଇ ହାତ ସିନା ନାହିଁ ହେଲେ କାହା ଉପରେ ନିର୍ଭର କରନ୍ତି ନାର୍ହି । ସବୁକାମ ଗୋଡରେ କରିବାକୁ ସମର୍ଥ ସେ । ନିତ୍ୟ କର୍ମ ସରିବା ପରେ ମହାମାୟୀ ମହାଲକ୍ଷ୍ମ ଓ ମହାପ୍ରଭୁଙ୍କ ଆଗରେ ମୁଣ୍ଡିଆ ମାରି ଆରମ୍ଭ କରନ୍ତ କାମ । ହାତ ଟେକି ନିଜକୁ ପ୍ରତି ମୁହୂର୍ତ୍ତରେ ସମର୍ପି ଦିଅନ୍ତି ସେହି ବିଶ୍ୱ ନିୟନ୍ତାଙ୍କ ପାଖରେ ।

ପାଠ ପଢା ସାଙ୍ଗକୁ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାରେ ରୁଚି ରଖନ୍ତି ଜଗନ୍ । ହେଲେ ଆଗକୁ ପଢିବାକୁ ଇଚ୍ଛା ଥିଲେ ବି ଆର୍ଥିକ ଅନଟନ ବାଧକ ହେଉଛି । ତେଣୁ ସରକାରଙ୍କ ସାହାଯ୍ୟକୁ ଆଶା କରିଛନ୍ତି ଜଗନ୍ ଓ ତାଙ୍କ ପରିବାର ।

ଆଶା ଓ ବିଶ୍ୱାସ ଗଣମାଧ୍ୟମରେ ମେଧାବୀ ଜଗନର ଖବର ପ୍ରସାର ପରେ ସହଯୋଗର ହାତ ବଢାଇବେ ପ୍ରଶାସନ ।