ରାସ୍ତାକଡରେ ଭଙ୍ଗାରୁଜା ପାଲଟଣା ଘରେ ବିତୁଛି ଜୀବନ । କୋରାପୁଟ ଲମତାପୁଟ ଅଂଚଳର ବେସାହାରା ବୃଦ୍ଧା ଗୁରୁବାରୀ

128

କନକ ବ୍ୟୁରୋ : ବୟସର ଅପରାହ୍ନରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ପାଖରେ ନିଜର ବୋଲି କେହି ନାହିଁ । ଭଙ୍ଗା ଦଦରା ଘର । ସେଥିରେ ବି ଛିଣ୍ଡା ଜରିପାଲ ଘେରାଯାଇଛି । ପେଟକୁ ମୁଠାଏ ଖାଇବା ଯୋଗାଡ କରିବାକୁ ବି ସେ ସକ୍ଷମ ନୁହଁନ୍ତି । ତଥାପି ଜୀବନ ଜୀଇଁବାର ଜାରି ରଖିଛନ୍ତି ସଂଘର୍ଷ । ଏ ହେଉଛନ୍ତି କୋରାପୁଟ ଲମତାପୁଟ ଅଂଚଳର ଗୁରୁବାରୀ । କୋରାପୁଟ ଜ଼ିଲ୍ଲା ଲମତାପୁଟ ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଲମତାପୁଟ ଜୟପୁର ମୁଖ୍ୟ ରାସ୍ତା କଡରେ ଏହି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ବେସାହାରା ଗୁରୁବାରୀଙ୍କୁ ସାହାରା ଦେବାକୁ କେହି ନାହିଁ । ଦିନରେ ଖରା ଆଉ ରାତିରେ ତାରା ଦେଖାଯାଉଛି । ହେଲେ ଘର ଖଣ୍ଡିଏ ବି ମିଳିପାରିନି ତାଙ୍କୁ । ସରକାରଙ୍କ ପକ୍ଷରୁ ଗଣ୍ଡାଏ ଚାଉଳ ମିଳୁଥିଲା ତାହା ବି ଏବେ ବନ୍ଦ ହୋଇଯାଇଛି । ଖରା ବର୍ଷା କାକରରେ ଜୀବନ ବିତାଉଥିବା ଗୁରୁବାରୀ ଏବେ କିଛି ସହାୟତା ଆଶାରେ ଚାହିଁ ବସିଛନ୍ତି ।

ଝାଟିମାଟି ଘର ଆଉ ଜରିପାଲ ତଳେ ଜୀବନ ବଂଚୁଥିବା ଗୁରୁବାରୀ ଅସହାୟ ହୋଇପଡିଛନ୍ତି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ବଳ ନାହିଁ । ହେଲେ ବି ବଂଚିବାର ସଂଘର୍ଷ ଜାରି ରଖିଛନ୍ତି । ସେପଟେ ଗୁରୁବାରୀ ଙ୍କୁ ଗୋଟେ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖୁବଶୀଘ୍ର ତାଙ୍କୁ ଘର ସହ କିଛି ସହାୟତା ଯୋଗାଇବାକୁ ମଧ୍ୟ ମିଳିଛି ପ୍ରତିଶ୍ରୁତି ।

ସମସ୍ୟା ଘେରରେ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧା ଗୁରୁବାରୀଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ବୃଦ୍ଧ ଜଣକ ଆଉ କିଛି ଦିନ ସ୍ୱଚ୍ଛଳରେ ବଂଚିପାରିବେ   ।