ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦାରିଦ୍ର୍ୟର କଷାଘାତରେ ୩ ବଢିଲା ରୋଗୀଣା ପୁଅଝିଅ

50

କନକ ବ୍ୟୁରୋ: ୧୦ ବର୍ଷ ହେଲା ଖଟିଆରେ ପଡି ରହିଛନ୍ତି ୨ ଭଉଣୀ । ଭାଇ ବି ୫ ବର୍ଷ ହେଲା ରୋଗାଗ୍ରସ୍ତ । ପରିବାରର ବୋଝ ମୁଣ୍ଡାଇବା ସମୟରେ ପରିବାର ପାଇଁ ବୋଝ ହୋଇଛନ୍ତି ଭାଇଭଉଣୀ । ଅଭାବୀ ପରିବାରର ୩ ବଢିଲା ପୁଅଝିଅ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଦୁଇଟି ଖଟିଆରେ ପଡି ରହିଛନ୍ତି ଦୁଇ ଝିଅ । ପୁଅ ବି ରୋଗାଗ୍ରସ୍ତ । ବୃଦ୍ଧ ବାପାମାଆଙ୍କ ଚିନ୍ତାର କାରଣ ପାଲଟିଛି ପୁଅଝିଅଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଭୂୟାଁରଇଡା ଗାଁର ପାଣ ଲୋହରଙ୍କ ପରିବାର । ଦୁଇ ଝିଅ, ଗୋଟିଏ ପୁଅ ସ୍ୱାମ ସ୍ତ୍ରୀ ମିଶି ୫ ପ୍ରାଣୀ କୁଟୁମ୍ବ । ଅଭାବୀ ପରିବାରର ୨୫ ବର୍ଷର ଝିଅ ପାନ ଓ ୨୦ ବର୍ଷର ଝିଅ ରାଧି ଏବେ ଶଯ୍ୟାସାୟୀ । ପରିବାରର ବୋଝ ହାଲୁକା କରିବା ପାଇଁ ଦୁଇ ଝିଅ ଖଣିରେ କାମ କରୁଥିଲେ, ହେଲେ ହଠାତ୍ ହାତଗୋଡ ଅଚଳ ହୋଇଯିବା ପରେ ୧୦ ବର୍ଷ ହେବ ଦୁଇ ଭଉଣୀ ଶଯ୍ୟାସାୟୀ । ଭାଇ ଶୁକଦେବ ବି ସମାନ ରୋଗରେ ପୀଡିତ ହୋଇ ୫ ବର୍ଷ ହେଲା ଘରେ ପଡି ରହିଛନ୍ତି ।

କୌଳିକ ବୃତି କମାର କାମ କରି ପେଟ ପୋଶୁଥିବା ପାଣ ଲୋହାର ନିଜର ସମସ୍ତ ସମ୍ବଳ ଖର୍ଚ କରି ପିଲାଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ଯାହା ସମୁଦ୍ରକୁ ସଂଖେ । ତେବେ ରାଜ୍ୟକୁ ସର୍ବାଧିକ ରାଜସ୍ୱ ଯୋଗାଉଥିବା ଖଣି ଅଂଚଳର ମଣିଷ ଚିକିତ୍ସା ପାଇଁ ଭଗବାନ ଭରସାରେ ପଡିରହିଛି ।