ଫେରିଲେ ଶବ, ଆଖିର ଲୁହ ଶୁଖିବ । କୋଲକାତାରେ ମାଆର ମୃତଦେହ, କେନ୍ଦ୍ରାପଡାରେ କାନ୍ଦିକାନ୍ଦି ଶବ ଅପେକ୍ଷାରେ ପୁଅଝିଅ…

331

କନକ ବ୍ୟୁରୋ: ବାସ୍ ଗୋଟିଏ ଥର… ଆମ ମାଆର ଶବକୁ ଫେରାଇଆଣ । ଆମେ ଶେଷ ଥର ପାଇଁ ତା ମୁହଁକୁ ଚାହିଁ ସାରା ଜୀବନ କାଟିଦେବୁ । ଭାଇଟା ମୋର ଜମା ବୁଝୁନି, ଜୀବନ ଥିବା ଆମ ଜନ୍ମଦାତ୍ରୀ ତ ଆଉ ଜମା ଫେରିବନି, ତେଣୁ ପ୍ରାଣହୀନ ତା ଶବକୁ ଦୟାକରି ଆମକୁ ଫେରେଇଦିଅ… ଆମକୁ ଫେରେଇଦିଅ…

କ୍ୟାମେରା ଆଗରେ କାକୁତି ମିନତି ହୋଇ ଅସହାୟ କଣ୍ଠରେ ଗୁହାରୀ କରୁଥିବା ଏ ଝିଅର ଆଖିଯୋଡିକୁ ଦେଖନ୍ତୁ । କେମିତି ତା ଆଖିରେ ମାଆ ପାଇଁ ଶେଷ ଅପେକ୍ଷା ଲୁହ ହୋଇ ଝରିବ ଝରିବ ହେଉଛି । କିନ୍ତୁ ସେ ଅପେକ୍ଷାର ଅନ୍ତ ହେଉନି କି ତା ମାଆର ଶବ ସୁଦୂର କୋଲକାତାରୁ ଫେରୁନି । ସେପଟେ କୁନି ଭାଇଟା ମାଆକୁ ଝୁରି ଝୁରି ଭୋକଶୋଷ ଭୁଲିଗଲାଣି । କୁନି ଝିଅ ଟିକେ ବଡ ହୋଇଥିବାରୁ ସେ ତା ମନକୁ ବୁଝେଇ ଦେଇଛି, ତା କଅଁଳ ହୃଦୟକୁ ପଥର କରି ଦେଇଛି । କିନ୍ତୁ ତା କୁନି ଭାଇକୁ ବୁଝେଇ ପାରୁନି ଯେ, ତାଙ୍କ ମାଆ ଆଉ ଫେରିବନି ବୋଲି । ଫେରିବ ତ ତା ଶବ । କିନ୍ତୁ ହାଏ ଏ ସରକାରୀ ବିଧି ବ୍ୟବସ୍ଥା ପାଇଁ ସେତକ ବି ହେଉନି …

ଗୋଟେ ପଟେ ବସର ନିଆଁ ଯେମିତି ମାଆକୁ ସେମାନଙ୍କ ପାଖରୁ ଛଡେଇ ନେଇଥିଲା । ଠିକ୍ ସେମିତି ନିଆଁ ପରର ଯନ୍ତ୍ରଣାର ଲୁହ ଏବେ ସମସ୍ତଙ୍କୁ କଷ୍ଟ ଦେଉଛି । କୋଲକାତା ଦୁର୍ଘଟଣାରେ କେନ୍ଦ୍ରାପଡାର ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ତାଙ୍କ ଶବକୁ ପରିବାରକୁ ହନ୍ତାସ୍ତର କରାଯାଇନି । ଆଜିକୁ ଠିକ୍ ୭ ଦିନ ତଳେ କୋଲକାତା ବାବୁଘାଟରୁ ପାରାଦୀପ ଅଭିମୁଖେ ବାହାରିଥିବା ବସ୍ ଖଡଗପୁର ପାଖରେ ଇଞ୍ଜିନ ନିଆଁ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯେଉଁଥିରେ କେନ୍ଦ୍ରାପଡାର ପୁଷ୍ପାଞ୍ଜଳି ଦାସଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ବିଡମ୍ବନାର ବିଷୟ, ଶବକୁ ପୋଷ୍ଟମର୍ଟମ ପାଇଁ ନେଇ ଆଉ ଫେରାଉ ନାହାନ୍ତି । ଘଟଣାକୁ ୭ ଦିନ ବିତି ଯାଇଥିଲେ ବି କୋଲକାତାରୁ ଶବ ଫେରୁନି । ପ୍ରଶାସନକୁ ବାରମ୍ବାର କହିବା ପରେ ବି କିଛି ଅଗ୍ରଗତି ହେଉନି ।

ସେପଟେ ମାଆକୁ ଝୁରି ଝୁରି ପିଲା ୨ଟି ଭାଙ୍ଗି ପଡିଥିବା ବେଳେ ବାପା ଜଣଙ୍କ ବାକଶୂନ୍ୟ ହୋଇପଡିଛନ୍ତି । ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ମୁଖ୍ୟ କର୍ମ ହୋଇଥିବାରୁ ଶବ ଫେରୁନଥିବାରୁ କେମିତି ଶୁଦ୍ଧିକ୍ରିୟା କରାଯିବ ସେନେଇ ଚିନ୍ତାରେ ପରିବାର । ସାଧାରଣ ମଣିଷଟିଏ କେବେ ସରକାରୀ ବ୍ୟବସ୍ଥାର ଏ ଅଡୁଆ ସୂତା ଭିତରେ ପଶିବାକୁ କେବେ ପସନ୍ଦ କରେନି କି ସେ ଝିନଝଟ ତାକୁ ଭଲ ଲାଗେନି । ଆଉ ଶବ ପାଇଁ ଯେତେବେଳେ ଏତେ ସମସ୍ୟା ସାମ୍ନାରେ ଅଛି ସେତେବେଳେ ଅଣନିଶ୍ୱାସୀ ହୋଇପଡିଛନ୍ତି ରାଜେନ୍ଦ୍ର । ତେବେ ଏପରିସ୍ଥଳେ ଜିଲ୍ଲପ୍ରଶାସନକୁ ଆମର ଅନୁରୋଧ- ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢାଇ ଏମିତି ଏକ ଅସମୟରେ ପରିବାର ସାଥିରେ ଛିଡା ହୁଅନ୍ତୁ…