ତାଙ୍କ ପାଇଁ ଆମେ ଅଛୁ… ଆମେ ଥାଉ ଥାଉ କଷ୍ଟ ପାଇବେନି ନିରୀହ ପଶୁ । ପେଟ କଥା ବୁଝିବୁ, ଗୁରୁତର ହୋଇ ରାସ୍ତାରେ ପଡିଥିଲେ କୋଳେଇ ନେବୁ… ପଶୁଙ୍କ ପ୍ରତିଟି ଦୁଃଖ ବୁଝି ପ୍ରଶଂସା ସାଉଁଟିଲେ ଦରଦୀ ମଣିଷ

1,190

କନକ ବ୍ୟୁରୋ: ପଶୁ ହେଲେ ବି ସେମାନେ ଜୀବ, ତାଙ୍କ ଦେହରେ ଜୀବନ ଅଛି । ଆଉ ଜୀବନ ଅଛି ବୋଲି ତ ଏମାନେ ଏ ନିରୀହ ପ୍ରାଣୀଙ୍କ ସେବା କରୁଛନ୍ତି । ପଶୁମାନେ ମୁହଁ ଖୋଲି କହିପାରନ୍ତିନି ସତ କି ସାହାଯ୍ୟ-ସୁରକ୍ଷା ପାଇଁ କାହାକୁ ହାତପାତି ପାରନ୍ତିନି । ଖାଲି ଭୋକ ହେଲେ ନିଜ ପେଟ ପାଇଁ ପର ଘର ଆଗରେ, ରାସ୍ତାଘାଟରେ ଖାଦ୍ୟର ସନ୍ଧାନ କରନ୍ତି । ବାସ୍ ଏତିକି ବେଳେ କଥା କହିପାରୁନଥିବା ଏ ଭୋକ ପାଖରେ ପହଞ୍ଚନ୍ତି ଭୋକର ଏ ଭଗବାନମାନେ । ଆଉ ହାତ ପାତି ପାରୁନଥିବା ପଶୁ ପାଇଁ ବଢାନ୍ତି ସାହାଯ୍ୟର ହାତ ।

ହେଲ୍ପିଂ ହ୍ୟାଣ୍ଡ ଅରଗାନାଇଜେସନ । ପଶୁଙ୍କ ପ୍ରତିଟି ଦୁଃଖ ବୁଝୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ । ଖାଲି ବୁଲା ପଶୁଙ୍କ ପେଟ କଥା ବୁଝନ୍ତିନି ବରଂ ରାସ୍ତାଘାଟରେ ଦୁର୍ଘଟଣା ହେଉଥିବା ବୁଲା କୁକୁର, ଗୋରୁଗାଈ ଏବଂ ବିଲେଇଙ୍କର ସେବା କରନ୍ତି । ଆହତ ପଶୁଙ୍କୁ ଚିକିତ୍ସା ଯୋଗାଇ ସୁସ୍ଥ କରନ୍ତି । ତେବେ ଦିନକୁ ଦିନ ରାସ୍ତାଘାଟରେ ବୁଲା ପଶୁଙ୍କ ଉପରେ ଗାଡି ଚଢିଯାଉଥିବା କିମ୍ବା ପଶୁଙ୍କ ପ୍ରତି ନିଷ୍ଠୁର ହୋଇ କେହି କେହି ସେମାନଙ୍କୁ ଆଘାତ ଦେଉଥିବାର ନଜିର ରହିଛି । ଆଉ ଯନ୍ତ୍ରଣାରେ ଜର୍ଜରିତ ଏ ନିରୀର ପଶୁମାନେ ପାଟିଫିଟାଇ କହି ନପାରି ରାସ୍ତା କଡରେ ଛଟପଟ ହୁଅନ୍ତି । ବାସ୍ ଏକିତି ବେଳେ ସେମାନଙ୍କ କଷ୍ଟ ଲାଘବ ପାଇଁ ପହଞ୍ଚନ୍ତି ହେଲ୍ପିଂ ହ୍ୟାଣ୍ଡ ସଂଗଠନର କର୍ମକର୍ତାମାନେ । ଆଉ ଘା ଘଉଡ, ଗୁରୁତର ପଶୁଙ୍କ ସେବା କରି ସେମାନଙ୍କୁ ସୁସ୍ଥ କରନ୍ତି ।

ଯଦି କୌଣସି ଲୋକ ପଶୁମାନଙ୍କ ପାଇଁ ଖାଦ୍ୟ ଦେବାକୁ ଚାହାଁନ୍ତି ତେବେ ଏହି ସଙ୍ଗଠନକୁ ଜଣାଇଲେ ସେମାନେ ଘର ଘର ବୁଲି ପଶୁଙ୍କ ପାଇଁ ଖାଦ୍ୟ ନେଇଆସିବେ । ଭୁବନେଶ୍ୱର ଏବଂ ପୁରୀରେ ପଶୁଙ୍କ ପାଇଁ କାମ କରୁଥିବା ଏହି ସଂଗଠନକୁ ସବୁଆଡୁ ପ୍ରଶଂସା ମିଳୁଛି ।

https://youtu.be/xSUBd4-f9oY