ଘରେ ଅଛନ୍ତି ବୋଲି କରନ୍ତୁନି ବିଭିନ୍ନ ଖାଦ୍ୟ ସାମଗ୍ରୀର ବରାଦ । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

3,415

କନକ ବ୍ୟୁରୋ : ସରକାର ୨୧ ଦିନର ତାଲାବନ୍ଦ ନିର୍ଦ୍ଦେଶ ଦେଇଥିବା ବେଳେ ଘରେ ବଢିଯାଇଛି ମହିଳାଙ୍କ କାମ । କାରଣ, ଅଧିକାଂଶ ପୁରୁଷମାନେ ଘରେ ବସି ଗୃହିଣୀଙ୍କୁ ଅର୍ଡର ଦେଉଥିବା ଦେଖାଦେଇଛି । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରୁନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ, ବର୍ତ୍ତମାନ ଘରେ ରହି ଭଲ ଖାଇବାର ସମୟ ନୁହେଁ ପରିବାର ଭିତରେ ଉତ୍ତମ ବାତାବରଣ ସୃଷ୍ଟି କରିବାର ସମୟ ।

ପୂର୍ବରୁ ସପ୍ତାହରେ ଗୋଟିଏ ଦିନ ଘରେ ରହୁଥିବା ପୁରୁଷ ଏବେ ଘରେ ଯେମିତି ୭ ଦିନିଆ କୁଣିଆ ପାଲଟିଯାଇଛନ୍ତି । ଖଟ ଉପରେ ବସି ଅର୍ଡର ପରେ ଅର୍ଡର ଦେଉଛନ୍ତି । ଆଉ ଏହି ଅର୍ଡର ପୂରଣ କରୁ କରୁ ସକାଳରୁ ରାତି ହୋଇଯାଉଛି । ତଥାପି ଘରେ ଥିବା ମହିଳାଙ୍କ କାମ ସରୁନି । ତାଲାବନ୍ଦରେ ବୋଧହୁଏ ଏହା ଘର ଘରର କାହାଣୀ, ଯାହାକି ଅଳ୍ପ ବହୁତ ସମସ୍ତଙ୍କ ଘରେ ଦେଖାଦେଉଥିବ ନିଶ୍ଚୟ ।

ସକାଳୁ ଉଠୁ ଉଠୁ ଖଟ ଉପରେ ଚା, ଆଉ ତାପରେ ଜଳଖିଆ । ଦିପହର ଲଂଚରେ ଛଅ ତିଅଣ ନଅ ଭଜାର ଡିମାଣ୍ଡ । ଆଉ ସନ୍ଧ୍ୟା ହେଉ ହେଉ ପାଟି ସୁଆଦିଆ ପକୁଡି କିମ୍ବା ସ୍ନାକ୍ସ । ଏତିକିରେ ସରୁନି ଅର୍ଡର । ରାତିରେ ମନ ମୁତାବକ ଡିନର ନଖିଆ ହେଲେ କଥା ସରିଲା । ତାଲାବନ୍ଦ କଟକଣା ଯେପରି ପାହାଡ ଭଳି ବୋଝ ହୋଇ ଗୃହିଣୀଙ୍କ ଉପରେ ମାଡିବସିଛି ।

ସକାଳରୁ ସନ୍ଧ୍ୟା, ସନ୍ଧ୍ୟାରୁ ରାତି ପୁଣି ରାତିରୁ ସକାଳ । ୨୪ ଘଂଟା ଘରେ ଦିନ ବିତୁଛି । ଆଉ ଏଭଳି ସ୍ଥିତିରେ ସାଧାରଣ ଦିନରେ ଗୃହିଣୀଙ୍କ ପାଇଁ ଯେତିକି କାମ ପଡୁଥିଲା, ବର୍ତ୍ତମାନ ତାଲାବନ୍ଦ ପରଠାରୁ ତାହା ଅଧିକା ହୋଇଯାଇଛି । ତେବେ ଘରେ ରହି ମାଆ, ଭଉଣୀଙ୍କ ଉପରେ ଏଭଳି ଅଯଥା ଚାପ ନବଢାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତାଲାବନ୍ଦ ଯୋଗୁଁ ପୁରୁଷଙ୍କ ଅଫିସ ବନ୍ଦ ହୋଇଯାଇଛି । ହେଲେ ମହିଳାଙ୍କ କାମ ବନ୍ଦ ହୋଇନି । ବରଂ ବଢିଯାଇଛି । ତେଣୁ ଘର କାମରେ ସେମାନଙ୍କୁ ସହଯୋଗ କଲେ ଚାପ କମିବ ଏବଂ ଘରେ ରହି ଆଉ ବିରକ୍ତ ଲାଗିବ ନାହିଁ ।