କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅସହାୟଙ୍କ ପାଇଁ ବଢିଲା ସହାୟତାର ହାତ । ସରକାରୀ ଅନୁଦାନକୁ ଅପେକ୍ଷା କଲେ ନାହିଁ ମାଥିଲି ପିଇଓ ଅଶୋକ ମହାରଣା, ନିଜ ଦରମାରେ ବୃଦ୍ଧାଙ୍କ ପାଇଁ ତିଆରି କଲେ ଘର ।

204

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା । ସରକାରୀ ବାବୁଙ୍କ ମନକୁ ଛୁଇଁଲା । ସେଥିପାଇଁ ତ ଯୁଦ୍ଧକାଳିନ ଭିତିରେ ଅସହାୟ ବୃଦ୍ଧା ମାଆଙ୍କ ପାଇଁ ଘର ତୋଳିଲେ । ମାଲକାନଗିରି ଜିଲ୍ଲା ମାଥିଲି ସଦରରୁ ଆସିଛି ଏପରି ଖବର । ସରକାରୀ ଯୋଜନାରେ ଘର ମିଳିବା ବିଳମ୍ବ ହେବ ବୋଲି ଜାଣିବା ପରେ ନିଜ ଦରମା ଟଙ୍କାରେ ଘର କରିଦେଲେ ମାଥିଲି ପିଇଓ ଅଶୋକ ମହାରଣା । ପରିବାରର ପେଟ କାଟି ୨ ମାସର ଦରମା ଅର୍ଥକୁ ବିନିଯୋଗ କରି ସରକାରୀ ବାବୁ ଜଣକ ଘର ଖଣ୍ଡିଏ ଦେଇ ମାଥିଲି ସାଗରସାହିର କେ. ଲକ୍ଷ୍ମୀଙ୍କ ଅସହାୟତା ଦୂର କରି ଚର୍ଚ୍ଚାକୁ ଆସିଛନ୍ତି । 

ତେବେ ପୂର୍ବରୁ ଅସହାୟ ଲକ୍ଷ୍ମୀ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଫାଷ୍ଟଫୁଡ ଷ୍ଟଲରେ ଆଶ୍ରୟ ନେଉଥିଲେ । ତାଙ୍କ ଦୁରାବସ୍ଥାକୁ ସଂପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହେବାର ମାସକ ପରେ ବଦଳି ଯାଇଛି ଚିତ୍ର । ନିଜ ଦରମା ଅର୍ଥରେ ଅସହାୟ ବୃଦ୍ଧାଙ୍କ ପାଇଁ ଘର ନିର୍ମାଣ କରିଛନ୍ତି ମାଥିଲି ପିଇଓ ଅଶୋକ ମହାରଣା । ଏବଂ ସେହି ଘରେ ଏବେ ହସଖୁସିରେ ରହୁଛନ୍ତି ଲକ୍ଷ୍ମୀ । ତେବେ ପିଇଓଙ୍କ ଏଭଳି ମହାନ କାର୍ଯ୍ୟକୁ ନେଇ ସବୁ ମହଲରୁ  ପ୍ରଂଶସା କରାଯାଇଛି ।