ହସ୍ପିଟାଲ ବେଡରେ ମୃତ୍ୟୁ ସହ ଲଢୁଛି ବାପଛେଉଣ୍ଡ ଝିଅ ମୋନାଲିସା । ଆପଣଙ୍କର ଛୋଟିଆ ସହାୟତା ମୋନାଲିସାକୁ ଦେବ ନୂଆ ଜୀବନ ।

4,206

କନକ ବ୍ୟୁରୋ : ମୃତ୍ୟୁ ସହ ସଂଘର୍ଷ କରୁଛି ମୋନାଲିସା, ବାସ୍ ଆପଣଙ୍କ ସହାୟତା ମିଳିଲେ ବଞ୍ଚିଯିବ ବାପଛେଉଣ୍ଡ ଝିଅର ଜୀବନ । ଯିଏ ପ୍ରତିଦିନ ଅନ୍ୟଙ୍କ ଜୀବନ ବଞ୍ଚାଇବାରେ ସାଥ୍ ଦେଉଥିଲା, ଏବେ ସିଏ ନିଜେ ପ୍ରତିଦିନ ମୃତ୍ୟୁ ସହ ଲଢେଇ କରୁଛି । ୧୫ ଦିନ ହେବ ପ୍ରତିଦିନ ଚାଲିଛି ମୃତ୍ୟୁ ସହ ଛକାପଞ୍ଝା । କିନ୍ତୁ ସାହସୀ ଝିଅ ମୋନାଲିସା ଦମ୍ଭ ହାରିନି କି ହାର ମାନିନି । କାରଣ ହସ୍ପିଟାଲ ବେଡରେ ଶୋଇଥିବା ମୋନାଲିସା ଜାଣିଛି ଯଦି ସିଏ ଦମ୍ଭ ହାରିଦେବ ତେବେ ତାହାର ପୂରା ପରିବାର ଭାସିଯିବ । ଏ କାହାଣୀ ହେଉଛି ଚିଲିକା ବଉଳାବନ୍ଧ ଗ୍ରାମର ମୋନାଲିସା ଶତପଥୀଙ୍କର । ଯିଏ ସଡକ ଦୁର୍ଘଟଣାର ଶିକାର ହୋଇ ଏବେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ସ୍ୱାସ୍ଥ୍ୟ ଅଧିକାରିଣୀ ଭାବେ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମୋନାଲିସା ଗତ ୧୯ ତାରିଖରେ ଡ୍ୟୁଟି ସାରି ସ୍କୁଟିରେ ଫେରୁଥିବା ବେଳେ ବୀରରାମଚନ୍ଦ୍ରପୁର ନିକଟରେ ଏକ ଅଜଣା ଗାଡି ତାଙ୍କୁ ପଛପଟୁ ଧକ୍କର ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିବା ମୋନାଲିସାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ପରେ ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଆମ୍ରି ହସ୍ପିଟାଲରେ ଚିକିତ୍ସା କରିବାକୁ ଭର୍ତ୍ତି କରାଯାଇଛି । ମୋନାଲିସାଙ୍କର ମେରୁଦଣ୍ଡ ହାଡ ସହ ବାମ ଗୋଡ ଓ ଛାତିର ହାଡ ମଧ୍ୟ ଭାଙ୍ଗିଯାଇଛି । ଏଭଳି ସ୍ଥିତିରେ ତାଙ୍କର ଜରୁରୀ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଆବଶ୍ୟକତା ପଡୁଛି ।

ବାପଛେଉଣ୍ଡ ମୋନାଲିସା ଘରର ଏକମାତ୍ର ରୋଜଗାରକ୍ଷମ ଥିଲେ । ଘରର ବଡ ଝିଅ ହୋଇଥିବାରୁ ତାଙ୍କ ରୋଜଗାରରେ ହିଁ ଘର ଚଳୁଥିଲା । ତେଣୁ ଯେତେବେଳେ ମୋନାଲିସା ହସ୍ପିଟାଲ ବେଡରେ ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି ସେତେବେଳେ ଏତେ ଟଙ୍କା ଯୋଗାଡ କରିବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନି । ଯେଉଁଥିପାଇଁ ଅନ୍ୟ କାହାର ସହାୟତା ଆଶାକୁ ଚାହିଁ ବସିଛି ପରିବାର । କେହି ବଦାନ୍ୟ ବ୍ୟକ୍ତି ଯଦି ସହଯୋଗ ହାତ ବଢାନ୍ତି ତେବେ କେବଳ ମୋନାଲିସାଙ୍କ ଜୀବନ ରକ୍ଷା ହୋଇପାରନ୍ତାନି ବରଂ ତାଙ୍କର ପରିବାର ମଧ୍ୟ ଏଭଳି ଯନ୍ତ୍ରଣାଦାୟକ ସ୍ଥିତିରୁ ମୁକୁଳିପାରନ୍ତା ।

ପିଲାଟି ବେଳୁ ବାପାଙ୍କୁ ହରାଇଥିବା ମୋନାଲିସାଙ୍କ ପରିବାର କହିଲେ ମା, ଦୁଇ ଭଉଣୀ ଓ ଗୋଟିଏ ଭାଇ । ସାନ ଭାଇ ଓ ମଝିଆ ଭଉଣୀ ଏବେ ପାଠ ପଢୁଥିବା ବେଳେ ମୋନାଲିସାଙ୍କ ଉପରେ ପୂରା ପରିବାରର ଦାୟିତ୍ୱ ଥିଲା । କିନ୍ତୁ ଏବେ ମୋନାଲିସା ହସ୍ପିଟାଲରେ ଜୀବନ ମରଣ ସହ ଯୁଝି ହେଉଛନ୍ତି । ଗୋଟିଏ ଟଙ୍କା ହେଉ ପଛେ ଯଦି ଓଡ଼ିଶାବାସୀ ସହଯୋଗରେ ହାତ ବଢାନ୍ତେ ତେବେ ମେଧାବୀ ମୋନାଲିସା ଜୀବନ ଯୁଦ୍ଧରେ ଜିତିବା ପୁଣିଥରେ କର୍ମକ୍ଷେତ୍ରକୁ ଫେରି ଅନ୍ୟଙ୍କ ଜୀବନ ବଞ୍ଚାଇ ପାରନ୍ତେ ।

ମୋନାଲିସାଙ୍କୁ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ

Name : Monalisha Satapathy
A/c No : 10760110057490
IFSC Code : UCBA0001076
Branch : UCO Bank
Gangadharpur, Nachuni