ଆମେ ଥିବା ଯାଏଁ ତୋର କିଛି ହେବନି… ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀର ଗୁହାରୀ ଶୁଣି ରହି ପାରିଲେନି ବନ୍ଧୁ । ହାତ ମିଳାଇଲେ, ସାଙ୍ଗକୁ ବଞ୍ଚାଇବାକୁ ଆଗେଇ ଆସିଲେ । ହେଲେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ଜୀବନ…

1,307

କନକ ବ୍ୟୁରୋ: ସିନ୍ଦୁର ପାଇଁ ବନ୍ଧୁଙ୍କ ସହଯୋଗ ଲୋଡିଲେ ସ୍ତ୍ରୀ । ବନ୍ଧୁ ପତ୍ନୀଙ୍କ ଠାରୁ ବନ୍ଧୁଙ୍କ ଅସୁସ୍ଥତା ଖବର ପାଇ ସହଯୋଗର ହାତ ବଢାଇଲେ ଇଂଜିନିୟରିଂ ସାଥୀ । ଟଙ୍କାଏ ଟଙ୍କାଏ କରି ଯୋଗାଡ କଲେ ଅର୍ଥ । ହେଲେ ଚିକିତ୍ସା କ୍ଷେତ୍ର ଆଗକୁ ବଢିବା ବେଳେ ବାଟ ଓଗାଳିଲା ଆଇନଗତ କଟକଣା । ସାନ ଭାଇ ଯକୃତରୁ ମାଂସ ଆଣି ବଡ ଭାଇ ଦେହରେ ଲଗାଇବାକୁ ହେଲେ ହାଇକୋର୍ଟଙ୍କ ଅନୁମତି ଦରକାର । ଡାକ୍ତରଙ୍କ ଠାରୁ ଏମିତି କିଛି ଶୁଣିବା ପରେ ଭାଙ୍ଗି ପଡିଛନ୍ତି ଗଂଜାମ ଶୋରଡା ଅଂଚଳର ବିମଳେନ୍ଦୁ ଦାସଙ୍କ ପତ୍ନୀ ଓ ତାଙ୍କ ସାଥୀ ।

ସ୍ୱାମୀଙ୍କ ସୁସ୍ଥ ଜୀବନ ପାଇଁ ସ୍ତ୍ରୀ ଦେଉଛନ୍ତି ଅଗ୍ନି ପରୀକ୍ଷା । କେତେବେଳେ ଅର୍ଥାଭାବ ତ ଆଉ କେତେବେଳେ ଆଇନଗତ କଟକଣା । ରୋଗ ମାଗୁଛି ସମୟ, ଡାକ୍ତର ମାଗୁଛନ୍ତି ହାଇକୋର୍ଟଙ୍କ ଅନୁମତି । ଏମିତି କିଛି ଗୋଲକଧନ୍ଦାରେ ଛନ୍ଦି ହୋଇଛନ୍ତି ଲିଭର ସିରୋସିସ୍ ରୋଗ ସହ ଜୁଝି ହେଉଥିବା ଶୋରଡାର ବିମଳେନ୍ଦୁ ଦାସ । ବିମଳେନ୍ଦୁ ଇଂଜିନିୟରିଂ ପାଠ ସାରି ଚାକିରି ନପାଇ ଗାଁରେ ଏକ ଦୋକାନ କରି ପରିବାର ପୋଷୁଥିଲେ । ହେଲେ ସମୟ ତାଙ୍କ ଉପରେ ଲଦିଦେଲା ଏମିତି ଏକ ମାରାତ୍ମକ ରୋଗର ବୋଝ । ଯାହାର ଚିକିତ୍ସା କରିବା ପାଇଁ ସେ ଏବେ ଅସମର୍ଥ ।

ବିମଳେନ୍ଦୁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ବିମଳେନ୍ଦୁଙ୍କ ବନ୍ଧୁଙ୍କୁ ସହଯୋଗ ମାଗିଲେ ସ୍ତ୍ରୀ ସୁଜ୍ଞାନୀ ଦାସ । ବିମଳେନ୍ଦୁଙ୍କ ଇଂଜିନିୟରିଂ ବନ୍ଧୁମାନେ ମଧ୍ୟ ସୋସିଆଲ ମିଡିଆରେ ଏକାଠି ହୋଇ ୭ ଲକ୍ଷ ଟଙ୍କା ଯୋଗାଡ଼ କରିଛନ୍ତି । ହେଲେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିମଳେନ୍ଦୁଙ୍କ ଯକୃତ ଅପରେସନ ପାଇଁ ବାଧକ ସାଜିଛି ଆଇନଗତ କଟକଣା । ବିମଳେନ୍ଦୁଙ୍କ ସାନ ଭାଇଙ୍କ ଯକୃତରୁୁ ମାଂସ ଆଣି ତାଙ୍କ ଅପରେସନ କରିବା ପାଇଁ ଡାକ୍ତରମାନେ ସବୁ ପରୀକ୍ଷାନୀରିକ୍ଷା ସାରିଛନ୍ତି । କିନ୍ତୁ ତାଙ୍କ ସାନ ଭାଇଙ୍କର ମାନସିକ ସ୍ଥିତି ଭଲ ନଥିବାରୁ କୋର୍ଟଙ୍କ ଅନୁମତି ଦରକାର ବୋଲି ଡାକ୍ତର କହିବା ପରେ ଭାଙ୍ଗି ପଡିଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ ।

ବିମଳେନ୍ଦୁଙ୍କ ଚିକିତ୍ସା ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସାଙ୍ଗମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସ୍ୱାମୀଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ସ୍ତ୍ରୀ ସୁଜ୍ଞାନୀ ।