ସବୁ କୋଭିଡ ହସ୍ପିଟାଲରେ ହେବ ହେଲ୍ପ ଡେସ୍କ । କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବେ ହସ୍ପିଟାଲ । ଟେଲିଫୋନ ଜରିଆରେ ସୂଚନା ପାଇପାରିବେ ସମ୍ପର୍କୀୟ

66

କନକ ବ୍ୟୁରୋ : କୋଭିଡ ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ମାର୍ଗଦର୍ଶିକା । ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ କୋଭିଡ ହସ୍ପିଟାଲରେ ରହିବ ହେଲ୍ପ ଡେସ୍କ । ଅନ୍ୟପକ୍ଷରେ କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବ ହସ୍ପଟାଲ । ଏହାସହ ଟେଲିଫୋନ ଜରିଆରେ କୋଭିଡ ରୋଗୀଙ୍କ ବିଷୟରେ ସୂଚନା ପାଇପାରିବେ ସମ୍ପର୍କୀୟ ।

କୋଭିଡ ହସ୍ପିଟାଲରେ କନଫରେନ୍ସ ହଲ୍ ମଧ୍ୟ ରହିବ । କନଫରେନ୍ସ ହଲ୍ ରେ ସମ୍ପର୍କୀୟ ରୋଗୀଙ୍କ ସହ କଥା ହୋଇ ପାରିବେ । କନଫରେନ୍ସ ହଲରେ ଟିଭି ଓ କ୍ୟାମେରା ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ହ୍ୱାଟସାପରେ ମଧ୍ୟ କୋଭିଡ ରୋଗୀଙ୍କ ସମ୍ପର୍କରେ ସୂଚନା ଦିଆଯିବ ।

ସବୁ କୋଭିଡ ହସ୍ପିଟାଲରେ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ରୋଗୀଙ୍କ ସମ୍ପର୍କୀୟ ଫୋନ କରି ରୋଗୀଙ୍କ ସମ୍ପର୍କରେ ବୁଝି ପାରିବେ । ହେଲ୍ପ ଡେସ୍କରେ କର୍ମଚାରୀ ରଖାଯିବ । ଯେପରି ସମସ୍ତ କଲ୍ ର ଉତ୍ତର ଦିଆଯାଇପାରିବ । କୋଭିଡ ହସ୍ପିଟାଲରେ ହେଲପ ଡେସ୍କ ଖୋଲିବାରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଥିରେ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କେଉଁ ୧୧ଟି କଥା କୁହାଯାଇଛି ନଜର ପକାନ୍ତୁ ।

୧- ସବୁ କୋଭିଡ୍ ହସ୍ପିଟାଲ ୨୪ ଘଂଟିଆ ହେଲ୍ପ ଡେସ୍କ ଖୋଲିବେ
୨- ହେଲ୍ପ ଡେସ୍କ ପକ୍ଷରୁ ଦେୟମୁକ୍ତ ଟେଲିଫୋନ୍ ନମ୍ବର ରହିବ
୩- ଟେଲିଫୋନ୍ ନମ୍ବର ସମ୍ପର୍କରେ ଅତିରିକ୍ତ ଡିଏମ୍ଇଟିଙ୍କୁ ଅବଗତ କରିବେ ହସ୍ପିଟାଲ କର୍ତୃପକ୍ଷ
୪- ଲୋକଙ୍କୁ ଏହି ଟେଲିଫୋନ୍ ନମ୍ବର ସମ୍ପର୍କରେ ଅବଗତ କରାଯିବ
୫- ସବୁ ଫୋନ୍ କଲ୍ ଉଠାଇଲା ଭଳି କର୍ମଚାରୀ ହେଲ୍ପ ଡେସ୍କରେ ରହିବେ
୬-ଟେଲିଫୋନ କିମ୍ବା ହ୍ୱାର୍ଟ୍ସଆପ୍ ଜରିଆରେ କୋଭିଡ୍ ରୋଗୀଙ୍କ ସମ୍ପର୍କରେ ସୂଚନା ଦିଆଯିବ
୭- ହସ୍ପିଟାଲରେ କନଫରେନ୍ସ ହଲ ହେବ, ସିସିଟିଭି ଲାଗିବ । ରୋଗୀଙ୍କ ସହ କଥା ହୋଇପାରିବେ ସମ୍ପର୍କୀୟ
୮-ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କୁ ଅନ୍ତତଃ ଦିନକ ଥରେ ସୂଚନା ଦିଆଯିବ
୯-ଗୋଟିଏ ସପ୍ତାହ ଭିତରେ ସବୁ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ସ୍ଥାପନ ହେବ । କର୍ତୃପକ୍ଷ ନିଶ୍ଚିତ କରିବେ
୧୦-ହେଲ୍ପ ଡେସ୍କ ସହଯୋଗ କରୁନଥିବା ଅଭିଯୋଗ ହେଲେ ତୁରନ୍ତ ପଦକ୍ଷେପ ନିଆଯିବ
୧୧- ହେଲ୍ପ ଡେସ୍କ କାର୍ଯ୍ୟକାରି କରିବାରେ ହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ