କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ । କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ୩ଟି ନୂଆ ନିୟମ ବାବଦରେ ଉଲ୍ଲେଖ କରାଯାଇଛି । ଏଣିକି ବାଇକରେ ଯାଉଥିବା କୁନି ପିଲାଙ୍କ ପାଇଁ ହେଲମେଟ ଓ ସେଫ୍ଟି ଜ୍ୟାକେଟ ବା ସେଫ୍ଟି ହାର୍ଣ୍ଣେସ ବାଧ୍ୟତାମୂଳକ କରାଯାଇଛି । ଏହାଛଡା ଯେଉଁ ଦୁଇ ଚକିଆ ବାହନରେ ପିଲା ବସିଥିବେ ତାହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ହେବନି ବୋଲି କୁହାଯାଇଛି । ଏହି ନୂଆ ନିୟମ ୧୫ ଫେବ୍ରୁଆରୀ ୨୦୨୩ରୁ ଲାଗୁ ହେବ । ଏନେଇ ଗତବର୍ଷ ଅକ୍ଟୋବରରେ ମନ୍ତ୍ରାଳୟ ପକ୍ଷରୁ ଏକ ଡ୍ରାଫ୍ଟ ନୋଟିଫିକିସେନ ଜାରି କରାଯାଇ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ନୂଆ ନିୟମ ମୁତାବକ, ମୋଟର ସାଇକେଲରେ ୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବସାଇ ନେଉଥିଲେ ସେଫ୍ଟି ବେଲ୍ଟ ବା ସେଫ୍ଟି ହାର୍ଣ୍ଣେସ ବାଧ୍ୟତାମୂଳକ କରାଯାଇଛି । ଏହାଛଡା ଏହି ବୟସର ପିଲାଙ୍କୁ ମୁଣ୍ଡରେ ଫିଟ ହେଉଥିବା ହେଲମେଟ ପିନ୍ଧାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସେହିଭଳି କୁନି ପିଲା ବସିଥିଲେ ଗାଡିର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗତି କରିପାରିବ ନାହିଁ । ସେହିଭଳି ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ସେଫ୍ଟି ହାର୍ଣ୍ଣେସ ୩୦ କିଲୋ ପର୍ଯର୍୍ୟନ୍ତ ଓଜନ ସମ୍ଭାଳୁଥିବା ଆବଶ୍ୟକ । ଏହି ସେଫ୍ଟି ହାର୍ଣ୍ଣେସ ଜରିଆରେ ଉଭୟ ଚାଳକ ଓ କୁନି ପିଲା ସଂଲଗ୍ନ ହୋଇ ରହିବେ । ଏହା ସମ୍ପୂର୍ଣ୍ଣ ୱାଟରପ୍ରୁଫ୍ ସହ ଅଧିକ ଦିନ ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ ।
MoRTH has made mandatory a safety harness and crash helmet for children below 4 years being carried on a two-wheeler with a restricted speed limit of 40 kmph.
These rules will come into force from 15 February 2023. pic.twitter.com/Nwmjz1wpgA— MORTHINDIA (@MORTHIndia) February 16, 2022
କାହିଁକି ଏହି ନିୟମ?
ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମୋଟର ସାଇକେଲରେ ବସୁଥିବା କୁନି ପିଲାଙ୍କ ସୁରକ୍ଷା ପାଇଁ କୌଣସି ନିୟମ ନଥିବାରୁ ଦୁର୍ଘଟଣା ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କୁନି ଶିଶୁ । ଏହାଛଡା ବାଇକ ଟିକିଏ ବି ଭାରସାମ୍ୟ ହରାଇଲେ ପିଲାମାନେ ଖସି ପଡିବାର ଅଧିକ ସମ୍ଭାବନା ରହିଥାଏ । ଦେଶରେ ସଡକ ଦୁର୍ଘଟଣା ଏବଂ ଏଥିରେ ମୃତ୍ୟୁ ଓ ଆହତ ହେଉଥିବା ଲୋକଙ୍କ ସଂଖ୍ୟାକୁ ବିଚାର କରି ଏହି ନୂଆ ନିୟମ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶେଷଜ୍ଞ, ସାଧାରଣ ଲୋକଙ୍କ ରାୟ ଆଧାରରେ ଏଭଳି ଏକ ନିୟମ ଅଣାଯାଇଛି ।
ଗତ ୨୦୨୦ରେ ସଡକ ଦୁର୍ଘଟଣାରେ ୧୪ ବର୍ଷରୁ କମ ୨୭୦୦ କୁନି ପିଲା ଓ ୧୮ ବର୍ଷରୁ କମ ୧୪ ହଜାର ପିଲା ପ୍ରାଣ ହରାଇଛନ୍ତି । ସବୁଠୁ ବଡ କଥା ହେଲା ଶିକ୍ଷାନୁଷ୍ଠାନର ଆଖ ପାଖରେ ହିଁ ୫୮୬୮ ଜଣ ଲୋକେ ପ୍ରାଣ ହରାଇଛନ୍ତି । ତେଣୁ କୁନି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିୟମ ନ ମାନିଲେ ୧୦୦୦ ଟଙ୍କାର ଜରିମାନା ସହ ୩ ମାସ ପାଇଁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ । ଏହି ନୂଆ ନିୟମ ଦ୍ୱାରା କେବଳ ଦୁର୍ଘଟଣାକୁ ରୋକାଯିବନି ବରଂ କୁନି ଛୁଆଙ୍କ ଜୀବନ ମଧ୍ୟ ରକ୍ଷା କରାଯାଇପାରିବ ।