ବାଇକ ଚାଳକ ସାବଧାନ ! ଟ୍ରାଫିକ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ, ଉଲ୍ଲଂଘନକାରୀଙ୍କ ଅତୀତ ରେକର୍ଡ ଦେଖିବା ପରେ ଆଦାୟ କରାଯିବ ଜରିମାନା

76

କନକ ବ୍ୟୁରୋ : ଟ୍ରାଫିକ ନିୟମ ଭାଙ୍ଘିଲେ କଡା କାର୍ଯ୍ୟାନୁଷ୍ଠାନ । ସଡ଼କ ଦୁର୍ଘଟଣାରେ ମୃତାହତ ରୋକିବା ପାଇଁ ଟ୍ରାଫିକ୍ ଓ ହେଲମେଟ୍ ନିୟମକୁ କଡ଼ାକଡ଼ି କରାଯିବ। ଏ ନେଇ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ତାଗିଦ୍ କରାଯାଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଏ ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସଡ଼କ ସୁରକ୍ଷା ନେଇ ଆବଶ୍ୟକ ସଚେତନତା ସୃଷ୍ଟି କରାଯିବା ସହ ଟ୍ରାଫିକ୍ ଓ ହେଲମେଟ୍ ନିୟମ କଡ଼ାକଡ଼ି କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଜିଲ୍ଲାରେ ଚଢ଼ାଉ କାର୍ୟ୍ୟ ଓ ଦୁର୍ଘଟଣାରେ ମୃତ୍ୟୁ ହାର ନେଇ ଜିଲ୍ଲାପାଳ ଓ ଏସପିମାନେ ମାସିକ ରିପୋର୍ଟ ରାଜ୍ୟ ମୁଖ୍ୟାଳୟକୁ ପଠାଇବେ ବୋଲି ନିଷ୍ପତ୍ତି ହୋଇଛି।

ପରିବହନ କମିସନର୍ ମଧୁସୂଦନ ପାଢ଼ୀ କହିଥିଲେ, ୨୦୧୭ ଅପେକ୍ଷା ୨୦୧୮ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିଛି। ୨୦୧୭ ମାର୍ଚ୍ଚ ମାସରେ ଦୁର୍ଘଟଣାରେ ୪୮୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୧୮ରେ ଏହି ମାସରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪୬୬ ରହିଛି।

ଟ୍ରାଫିକ୍ ନିୟମର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ପାଇଁ ଅନଲାଇନ୍ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ କରାଯିବା ଉପରେ ଆଲୋଚନା ହୋଇଥିଲା। ଉଲ୍ଲଂଘନକାରୀଙ୍କ ଅତୀତର ରେକର୍ଡକୁ ଦେଖି ଦଣ୍ଡବିଧାନ ସ୍ଥିର କରାଯିବ।ଖାସକରି ହାଇୱେରେ ହେଲମେଟ ଚେକିଂ ଉପରେ ଗୁରୁତ୍ୱ ଦିଆଯିବ । ଏକ ମାସ ଭିତରେ ଏହି ବ୍ୟବସ୍ଥାକୁ ଉନ୍ନତି କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ରାଜପଥଗୁଡ଼ିକରେ ଥିବା ବ୍ଲାକ୍ ସ୍ପଟ୍ରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ଅଭିଯାନ ହାତକୁ ନେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୁହାଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ରାଜ୍ୟରେ ୧୦ଟି ଜିଲ୍ଲା ଅଧିକ ଦୁର୍ଘଟଣା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା, କୋରାପୁଟ, ବରଗଡ଼, କନ୍ଧମାଳ, କେନ୍ଦୁଝର, ଗଜପତି, ସମ୍ବଲପୁର ଓ ସୁନ୍ଦରଗଡ଼।

ବୈଠକରେ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିସନର୍ ଗଗନ କୁମାର ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ୍ କମିସନର୍ ଓ୍ଵାଇ ବି ଖୁରାନିଆ, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମୁଖ୍ୟ ମହାପ୍ରବନ୍ଧକ ଧର୍ମାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।