ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଉଡିବାକୁ ନେଇ ବିବାଦ ! ବିଧାନସଭାରେ ତାତି, ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସଦସ୍ୟଙ୍କ ଧାରଣା ।

50

କନକ ବ୍ୟୁରୋ : ଖାଲି ଚିଲିକା ନୁହେଁ, କୋଣାର୍କ ଏବଂ ଶ୍ରୀମନ୍ଦିର ଉପରେ ମଧ୍ୟ ଉଡିଥିଲା ଚପର । ବୈଜୟନ୍ତ ପଣ୍ଡାଙ୍କ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ଏହାର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଏପରିକି କୋଣାର୍କ ମନ୍ଦିର ଉପରେ କିଛି ଏପରି କଥା ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ତେବେ ଶ୍ରୀମନ୍ଦିର ଓ କୋଣାର୍କ ଉପରରେ ଚପର ଉଡାଇବା ଘଟଣାରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି ।

ଗତ ୧୫ ତାରିଖରେ ବୈଜୟନ୍ତ ପଣ୍ଡା ପୁରୀ ଶ୍ରୀମନ୍ଦିର ଉପରେ ହେଲିକପଟର ଉଡାଇଥିଲେ । ଏକଥା ସେତେବେଳେ ସ୍ପଷ୍ଟ ହେଲା ଯେତେବେଳେ ହେଲିକପଟରରେ ସେ ସମୟରେ ବସିଥିବା ଅଭିଜିତ ଆୟାର ମିତ୍ର ଏହି ଭିଡିଓକୁ ସେୟାର କଲେ । ଚପରରେ ବସିଥିବା ଅଭିଜିତ ଏହି ସବୁ ଫଟୋକୁ ଟ୍ୱିଟ କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ଶ୍ରୀମନ୍ଦିର ଉପରୁ ମୋର ସ୍ୱତନ୍ତ୍ର ମେସେଜ । ମନ୍ଦିର ସତରେ କେତେ ବଡ ଏବଂ ଏହି ମନ୍ଦିର ଚାରିପଟେ କିଭଳି ସହର ରହିଛି ତାର ଚିତ୍ର ଏବଂ ଅଭିଜ୍ଞତାକୁ ସେ ତାଙ୍କ ଟ୍ୱିଟରେ ଦର୍ଶାଇଛନ୍ତି ।

କୋଣାର୍କ ବୁଲିବା ଅବସରରେ ଅଭିଜିତ ତାଙ୍କ ମତ ରଖିଛନ୍ତି । ସେ ଏକ ଭିଡିଓ ସେୟାର କରି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟରେ ମହିଳା, ପୁରୁଷ ଏବଂ ପଶୁମାନଙ୍କ ମୂର୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ପବିତ୍ର ସ୍ଥାନ ନୁହେଁ  ଏବଂ ହିନ୍ଦୁ ସମୁଦାୟ ବିରୋଧରେ ଏପରି ନିର୍ମାଣ ହୋଇଛି । ହିନ୍ଦୁମାନଙ୍କୁ ଦବେଇ ରଖିବା ପାଇଁ ମୁସଲମାନମାନଙ୍କର ଏହା ଏକ ଷଡଯନ୍ତ୍ର । ରାମ ମନ୍ଦିରରେ ଏପରି ମୂର୍ତି ରହିବ ନାହିଁ ବୋଲି ଏକ ଭିଡିଓରେ ସେ କହିଛନ୍ତି ।

ସେ କହିଛନ୍ତି, ମୁଁ ଓଡିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଅଛି । ଏଠାରେ ଥିବା ମୂର୍ତି ଗୁଡିକ ମଧ୍ୟରେ ମହିଳା, ପୁରୁଷ ଏବଂ ପଶୁମାନଙ୍କ ମୂର୍ତି ରହିଛି । ଏହା କଣ ପବିତ୍ର ସ୍ଥାନ ହୋଇପାରେ । କେବେ ବି ନୁହେଁ । ଏହି ହିନ୍ଦୁ ସମୁଦାୟ ବିରୋଧରେ ହୋଇଛି । ଏହା ମୁସଲମାନମାନଙ୍କର ଏକ ଷଡଯନ୍ତ୍ର । ଆମକୁ ଦବେଇ ରଖିବା ପାଇଁ ଏପରି କରାଯାଇଛି । ମୁଁ କେବଳ ଏତିକି କହିବାକୁ ଚାହୁଁଛି । ଜୟ ଶ୍ରୀ ରାମ । ଆମ ରାମମନ୍ଦିରରେ ଏପରି ମୂର୍ତି ନିର୍ମାଣ ହେବ ନାହିଁ ।

ଶିମିଳିପାଳ ଅଭୟାରଣ୍ୟ ଉପରେ ମଧ୍ୟ ଚପ୍ପର ଉଡିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ, ବୈଜୟନ୍ତଙ୍କ ହେଲିକପ୍ଟରରେ ବସିଥିବା ଅଭିଜିତ ଆୟାର ମିତ୍ର ଶିମିଳିପାଳ ଯାଇଥିବାର କିଛି ଫଟୋ ଟ୍ୱିଟ୍ ବି କରିଛନ୍ତି । ନିଜ ଟ୍ୱିଟରେ ଅଭିଜିତ ଶିମିଳିପାଳର ସୌନ୍ଦର୍ଯ୍ୟକୁ ଅଷ୍ଟ୍ରିଆର ସୁନ୍ଦର ହ୍ରଦ ସହ ତୁଳନା କରିଛନ୍ତି । ଫଟୋ ଦ୍ୱାରା ଶିମିଳିପାଳର ସୁନ୍ଦର ଦୃଶ୍ୟକୁ ବର୍ଣ୍ଣନା କରାଯାଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି । ତେଣୁ ଅଭୟାରଣ୍ୟରେ ଚପ୍ପର ଉଡିବା ସନ୍ଦେହ ଦୃଢିଭୂତ ହୋଇଛି ।