କନକ ବ୍ୟୁରୋ : ଭାରତରେ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ରାତ୍ରଭୋଜନ ନିମନ୍ତ୍ରଣକୁ ନେଇ ରାଜନୀତି ସରଗରମ ହୋଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ହେଲେ ସେମାନଙ୍କ ହେଲିକପ୍ଟର ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ମିଳିନାହିଁ । କଂଗ୍ରେସ ଶାସିତ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ଗୃହମନ୍ତ୍ରଣାଳୟ ଖାରଜ କରିଛି । ଗୃହମନ୍ତ୍ରଣାଳୟ କହିଛି କି ଏହା ମିଥ୍ୟା ଅଭିଯୋଗ, ମୁଖ୍ୟମନ୍ତ୍ରୀମାନଙ୍କ ଗତିବିଧୀ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।

Advertisment

ଗୃହମନ୍ତ୍ରଣାଳୟର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି କି, ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଚାଲିଛି । ଏହାକୁ ନେଇ ସେପ୍ଟେମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି । ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ବିମାନ ଅବତରଣ ଉପରେ କୌଣସି କଟକଣା ଲଗାଯାଇନାହିଁ ।

ସୂଚନା ଥାଉକି ଗୋଟିଏ ଦିନ ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କର ଏକ ବୟାନ ଆସିଥିଲା । ଏଥିରେ ସେ ଜି-୨୦ ସମ୍ମିଳନୀର ରାତ୍ରଭୋଜନରେ ଯୋଗ ଦେଇପାରିବେ ନାହିଁ ବୋଲି ଅସମର୍ଥତା ପ୍ରକାଶ କରିଥିଲେ । ବଘେଲ କହିଥିଲେ କି ଦିଲ୍ଲୀ ଓ ତାର ଆଖପାଖ ଅଞ୍ଚଳରେ ପ୍ରତିବନ୍ଧକ କାରଣରୁ ତାଙ୍କ ବିମାନ ଅବତରଣ ପାଇଁ ଅନୁମତି ମିଳିନାହିଁ । ଏନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଥିଲେ କି ଯେତେବେଳେ ଦିଲ୍ଲୀକୁ ଏବେ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି ସେତେବେଳେ ସେ କିଭଳି ଭାବେ ଦିଲ୍ଲୀ ଯିବେ ।

ଏସବୁକୁ ନେଇ ଗୃହମନ୍ତ୍ରଣାଳୟ କହିଛି କି, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ବିମାନ ଉଡାଣ ନେଇ ୪ଟି ଅନୁରୋଧ ଆସିଥିଲା ଓ ସମସ୍ତ ଅନୁରୋଧକୁ ସ୍ୱୀକାର କରାଯାଇଛି ।