କନକ ବ୍ୟୁରୋ : ୭୦ ବର୍ଷର ଅପେକ୍ଷା ପରେ ପୁଣି ଭାରତକୁ ଫେରିଛି ବିରଳ ପ୍ରଜାତିର ଚିତାବାଘ । ନାମିବିୟାରୁ ଅଣାଯାଇଥିବା ୮ ଟି ଚିତାବାଘକୁ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିବା ପରେ ଏନେଇ ପ୍ରୋଜେକ୍ଟ ଚିତାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନିଜେ କ୍ୟାମେରା ଧରି ଚିତାବାଘମାନଙ୍କର ଫଟୋ ଉଠାଇଛନ୍ତି । ଏହି ଚିତାବାଘଗୁଡିକୁ ନାମବିୟାରୁ ସ୍ପେଶାଲ ଚାଟାର୍ଡ ବିମାନରେ ଗ୍ୱାଲିଆର ଅଣାଯାଇଥିଲା । ଏହାପରେ ଏହାକୁ ହେଲିକପ୍ଟର ସହାୟତାରେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିଦିଆଯାଇଛି ।

Advertisment

ପ୍ରୋଜେକ୍ଟ ଚିତା ଉଦଘାଟନ କରି ପ୍ରଦାନମନ୍ତ୍ରୀ କହିଛନ୍ତି କି ୭ ଦଶନ୍ଧିରେ ପୁଣି ଭାରତକୁ ଚିତାବାଘ ଫେରିଛନ୍ତି । ଏନେଇ ସେ ନାମବିୟା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ୧୯୫୨ ମସିହାରେ ସରକାର ଭାରତରେ ଚିତାକୁ ଏକ ବିଲୁପ୍ତ ପ୍ରାଣୀ ବୋଲି ସିନା ଘୋଷଣା କରିଦେଲେ ହେଲେ ସେମାନଙ୍କୁ ପୁଣି କିଭଳି ଭାରତକୁ ଫେରାଇଆଣାଯାଇ ପାରିବ ସେ ନେଇ କୌଣସି ଚେଷ୍ଟା କରାଗଲା ନାହିଁ  । ହେଲେ ଏବେ ଦେଶରେ ଯେଉଁ ଅମୃତକାଳ ଚାଲିଛି ସେହି ଅବସରରେ ନୂଆ ଭାବନା ନୂଆ ଶକ୍ତି ସହିତ ଭାରତରେ ଚିତାକୁ ପୁଣି ପୁର୍ନବାସ କରିବାରେ ସରକାର ସଫଳ ହୋଇଛନ୍ତି ।

ସେପଟେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରି କହିଛନ୍ତି କି, ଏବେ ସିନା କୁନୋ ନ୍ୟାସନାଲ ପାର୍କରେ ଚିତାମାନଙ୍କୁ ରଖାଗଲା । ହେଲେ ଏହାକୁ ଦେଶବାସୀଙ୍କୁ ଦେଖିବାକୁ ୬ ମାସ ଅପେକ୍ଷା କରିବାକୁ ପଡିବ ।