କେନାଲ ଅଛି, ହେଲେ ପାଣି ନାହିଁ । ପଡ଼ିଆ ପଡ଼ିଛି ଡେଲାଙ୍ଗ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି

38

କନକ ବ୍ୟୁରୋ: ନାଁ କୁ ଖାଲି ରହିଛି କେନାଲା । ହେଲେ ୭ ବର୍ଷ ହେଲା ଆସିନି ଟୋପାଏ ପାଣି । ଫଳରେ ପଡ଼ିଆ ପଡ଼ିଛି ଚାଷ ଉପଯୋଗୀ ଧାନ ଜମି । ଚାଷୀଙ୍କୁ ଦୁଃଖ ଦେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ମାଇନର କେନାଲ । ପ୍ରତିବର୍ଷ କେନାଲ କାମ ହେଉଛି । ସରକାରଙ୍କ ରାଜସ୍ୱ ଖର୍ଚ୍ଚ ହେଉଛି । ହେଲେ କେନାଲରେ ଟୋପାଏ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଜମିରେ ଚାଷ କରିବା ପାଇଁ ଚାଷୀ ହଳ କରିଛି । ଜମି ମଧ୍ୟ ଚାଷ ପାଇଁ ଠିକ୍ ଭାବେ ପାଗ ହୋଇଛି । ହେଲେ କେନାଲ ପାଣି ନଆସିବାରୁ ସମସ୍ୟା ଭୋଗୁଛନ୍ତି ଡେଲାଙ୍ଗ ବ୍ଳକର ୫ଟି ପଞ୍ଚାୟତର ଲୋକ । ଡେଲାଙ୍ଗ ମାଛପଡ଼ା ମାଇନର କେନାଲ ଉପରେ ଗୁଆଳିପଡ଼ା, ଶ୍ରୀପୁରୁଷୋତ୍ତମପୁର, ଜେନପୁର ଅଞ୍ଚଳର ଶତାଧିକ ଚାଷୀ ନିର୍ଭର କରନ୍ତି । ଦୀର୍ଘ ୭ ବର୍ଷ ହେଲା କେନାଲରେ ଟୋପାଏ ପାଣି ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ହେଲେ ପ୍ରତି ବର୍ଷ ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଶୁଖିଲା କେନାଲ କାମ ହେଉଛି ।

ଧାନ ବିଲରେ ଠିକ୍ ସମୟରେ ପାଣି ମାଡ଼ୁନଥିବାରୁ ନଷ୍ଟ ହେଲାଣି ଧାନ ଜମି । ବାହାର ଲିପ୍ଟରୁ ପାଣି କିଣି ଚାଷ କରୁଛନ୍ତି ଚାଷୀ । ପାଣି କିଣି ଚାଷ କରିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ପାଣି ଅଭାବରୁ ଧାନ ଅମଳ ମଧ୍ୟ କମ୍ ହେଉଛି । ଆଉ କ୍ଷତି ସହୁଛନ୍ତି ଚାଷୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାର ବାସ୍ତବତା ଏହି ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।