ଫସଲ ଉଜାଡ଼ିଦେଲା କାଳବୈଶାଖୀ ବର୍ଷା । କୃଷ୍ଣପ୍ରସାଦ ବ୍ଲକରେ ବାଦାମ ଚାଷ ନଷ୍ଟ । ଚାଷ ଜମିରେ ଜମି ରହିଛି ବର୍ଷା ପାଣି

90

କନକ ବ୍ୟୁରୋ: ଫସଲ ନଷ୍ଟ କଲା କାଳବୈଶାଖୀ ବର୍ଷା । କୃଷ୍ଣପ୍ରସାଦ ବ୍ଲକରେ ହେକ୍ଟର ହେକ୍ଟର ଜମିରେ ହୋଇଥିବା ଚିନାବାଦାମ ଚାଷ ନଷ୍ଟ ହୋଇଛି । ହଠାତ୍ ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି । ଚାଷ ଜମିରେ ପାଣି ଜମିରହିଥିବା ବେଳେ ଚାଷୀଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଇଛି । ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର ଫସଲ ଫଳାଇଥିଲେ । ଭାବିଥିଲେ ଭଲ ଅମଳ ହେବ ଆଉ ପରିବାର ପ୍ରତିପୋଷଣରେ ସହାୟକ ହେବ । ହେଲେ ଅଦିନିଆ ବର୍ଷା ସବୁ ଉଜାଡ଼ିଦେଇଛି । ପ୍ରବଳ ପବନ ସାଙ୍ଗକୁ ଝଡ଼ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି ।

ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଛାରଖାର ହେଇଛି ଚାଷ । ଆଉ କିଛି ଦିନରେ ବିକ୍ରି କରିଥାନ୍ତେ ପୋଟଳ, କୋବି, ଟମାଟୋ, ବାଇଗଣ ଆଦି ପନିପରିବା । ହେଲେ ବର୍ଷା ଉଜାଡି ଦେଲା ପରିବା ଚାଷ । ପୁରୀ କଣାସ ବ୍ଲକ୍ ଗଡସାନ ପୁଟ, ମନ୍ଦାରବସ୍ତ, ହଳଦିଆପଡାର ଶତାଧିକ ଚାଷୀ ଚିନ୍ତାରେ । ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବାଦାମ ଚାଷ । ସେହିପରି ସତ୍ୟବାଦୀ ବ୍ଲକ ମହୁରା, କେତକିପାଟଣା, ବଳପୁର, ରାୟଖଣ୍ଡି, ବଳରାମପୁର ଗଡ, ପରାଜପଡା ପଞ୍ଚାୟତର ବିରି ଓ ମୁଗ ଚାଷ ନଷ୍ଟ ହୋଇଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କେବଳ ସେତିକି ନୁହେଁ ବର୍ଷା ଉଜାଡି ଦେଇଛି ପରିବା ଚାଷ । ନିମାପଡା ବ୍ଲକ୍ ବଳଙ୍ଗା, ଚନ୍ଦ୍ରଦେଇପୁର, ଉଛୁପୁର, ନରୁଡା ଅଞ୍ଚଳରେ କୋବି, ବାଇଗଣ, ମୂଳା, ଟମାଟୋ ଆଦି ପରିବା ଗଛ ବର୍ଷାରେ ପ୍ରଭାବିତ ହୋଇଛି । ଠିକ୍ ଭାବେ ହୋଇ ନଥିବା କଦଳୀ, ପୋଟଳ ଆଦି ପରିବା କାଳବୈଶାଖୀ ବର୍ଷା ପାଇଁ ନଷ୍ଟ ହୋଇଯିବା ଆଶଙ୍କା କରି ଚିନ୍ତାରେ ଚାଷୀ ।