କନକ ବ୍ୟୁରୋ : ପୌର ନିର୍ବାଚନରେ ବଡ ନେତାଙ୍କୁ ଚକମା ଦେଇଛନ୍ତି ସହରୀ ଭୋଟର । ଶାସକ ଦଳର ପ୍ରଦର୍ଶନ ଭଲ ଥିଲେ ମଧ୍ୟ ବଡ ବଡ ନେତାଙ୍କ ଅଂଚଳରେ ବିଜେଡି ଭଲ କରିନାହିଁ । କେବଳ ଶାସକ ଦଳ ନୁହଁନ୍ତି, ବିରୋଧୀ ଦଳର ସାଂସଦ ବିଧାୟକମାନେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏଥର ସହରୀ ଭୋଟର କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀ ବଦଳରେ ସ୍ୱାଧୀନ ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ଏଥର ପୌର ଫଳାଫଳ, ରାଜ୍ୟ ରାଜନୀତିର ବଡ଼ ବଡ଼ ନେତାଙ୍କୁ ଚକ୍ମା ଦେଇଛି । ବିରୋଧୀ ହେଉ କି ଶାସକ ଦଳ, ସମସ୍ତଙ୍କ ପାଇଁ ଭିନ୍ନ ଇଙ୍ଗିତ ଦେଇଛି ଏହି ଫଳାଫଳ ।

Advertisment

ଟାଣୁଆ ନେତାଙ୍କୁ ଝଟକା
ମନ୍ତ୍ରୀ ନବ କିଶୋର ଦାସଙ୍କ ଜିଲ୍ଲାରେ ବେଲପାହାଡ଼ ପୌରାଧ୍ୟକ୍ଷ ହାତେଇଛି କଂଗ୍ରେସ
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବରଗଡ଼ରେ ଝଟ୍କା ଲାଗିଛି, ବରପାଲିରେ ପୌରାଧ୍ୟକ୍ଷ ପଦବି ଛଡ଼ାଇ ନେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜିଲ୍ଲାରେ ଜୁନାଗଡ଼ ଓ ଧର୍ମଗଡ଼ ଅଧ୍ୟକ୍ଷ ପଦ ଯାଇଛି ବିଜେପି ଖାତାକୁ
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଛି
ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷ ପଦ ରଖିବାରେ ବିଫଳ ହୋଇଛନ୍ତି
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଂଚଳରେ ଦଳ ଭଲ ପ୍ରଦର୍ଶନ କରିନାହିଁ

ସେହିଭଳି ଭୁବନେଶ୍ୱରରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳର ସାଂସଦମାନେ ମଧ୍ୟ ପୌର ନିର୍ବାଚନରେ ଫେଲ ମାରିଛନ୍ତି । ସେପଟେ ଗଂଜାମ ଜିଲ୍ଲାରେ ବଡ଼ ବଡ଼ ନେତା ଥିଲେ ବି ଶାସକ ଦଳକୁ ଝଟକା ଲାଗିଛି । ରମ୍ଭା, ଛତ୍ରପୁର, କୋଦଳା ତିନିଟି ପୌରାଧ୍ୟକ୍ଷ ପଦ ଯାଇଛି ବିଜେପି ହାତକୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ହିଂଜିଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡିକୁ କଡ଼ା ଟକର ଦେଇଛି ବିଜେପି ।

ଏହାବାଦ୍ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ପସନ୍ଦ କରିଛନ୍ତି ସହରୀ ଭୋଟର ।
ଜିଲ୍ଲା ପରିଷଦ ଜୋନରେ ୧ ପ୍ରତିଶତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ
୭ ପ୍ରତିଶତ ସ୍ୱାଧୀନ ପ୍ରାର୍ଥୀ ପୌର ପରିଷଦ ସଭ୍ୟ ନିର୍ବାଚିତ ହୋଇଛନ୍ତି
୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପୋଛି ନେଇଥିଲା ବିଜେଡି
୮ ପ୍ରତିଶତ ପୌର ପରିଷଦ ଅଧ୍ୟକ୍ଷ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ